ରାଜସ୍ଥାନ ଝିଅଙ୍କୁ ଚେଞ୍ଜ୍‌ ମେକର୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ: ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ପକ୍ଷରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ଆଉ ଜଣେ ଭାରତୀୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସ୍ବଚ୍ଛ ଭାରତ ମିଶନ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗ୍ଲୋବାଲ୍‌ ଗୋଲ୍‌କିପର୍ସ ଆଓ୍ବାର୍ଡ ଦେଇ ସମ୍ମାନିତ କରିଛି ଫାଉଣ୍ଡେଶନ। ସେହିପରି ସମାଜରେ ପରିବର୍ତ୍ତନ ଆଣି ଅନ୍ୟମାନଙ୍କ ପ୍ରେରଣା ପାଲଟିଥିବା ରାଜସ୍ଥାନର ଝିଅ ପାୟଲ ଜାଙ୍ଗିଦ୍‌ଙ୍କୁ ଚେଞ୍ଜମେକର ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ପାୟଲ ନିଜ ପରିବାରରୁ ହିଁ ପ୍ରଥମେ ପରିବର୍ତ୍ତନର ଲଢ଼େଇ ଆରମ୍ଭ କରିଥିଲେ। ତାଙ୍କ ପରିବାର ଲୋକେ ଅତି କମ୍‌ ବୟସରେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଏହାର ବିରୋଧ କରି ଏତେ କମ୍‌ ବୟସରେ ବିବାହ କରିବେ ନାହିଁ ବୋଲି ସେ ମନା କରିଦେଇଥିଲେ। ଏହାସହ ସେ ବାଲ୍ୟ ଅଧିକାରରୁ ବଞ୍ଚିତ ଶିଶୁମାନଙ୍କ ପାଇଁ ଲଢ଼େଇ ଆରମ୍ଭ କରିଦେଇଥିଲେ। ବିଭିନ୍ନ ରାଲି, ପୋଷ୍ଟର ଓ ଘରକୁ ଘର ଯାଇ ମାଆ-ବାପାଙ୍କୁ ବାଲ୍ୟ ଅଧିକାର ବିଷୟରେ ସଚେତନ କରନ୍ତି ପାୟଲ। ପ୍ରତ୍ୟେକ ପିଲାଙ୍କୁ ତାଙ୍କ ଶିକ୍ଷା ଅଧିକାରରୁ ବଞ୍ଚିତ ନ କରି ଗୋଟିଏ ସୁଯୋଗ ଦେବାକୁ ସେ ଅଭିଭାବକଙ୍କୁ ସଚେତନ କରାଇଥାନ୍ତି। ପାୟଲଙ୍କ ଲକ୍ଷ୍ୟ, ବିଶ୍ୱର ସମସ୍ତ ଶିଶୁଙ୍କୁ ଶିକ୍ଷାର ସୁଯୋଗ ମିଳୁ ଓ ସମସ୍ତେ ପଢ଼ନ୍ତୁ। ପାୟଲଙ୍କ ବାପା ପପ୍ପୁରାମ ଜାଙ୍ଗିଦ୍‌ଙ୍କ କହିବା ଅନୁସାରେ, ପାୟଲଙ୍କ ଏହି ଅଭିଯାନ ପରେ ତାଙ୍କ ଗ୍ରାମରେ ପ୍ରାୟ ସମସ୍ତ ପିଲା ସ୍କୁଲ ଯାଇ ପାଠ ପଢ଼ୁଛନ୍ତି ଏବଂ ବାଲ୍ୟ ବିବାହ ଏବେ ଦେଖିବାକୁ ମିଳୁନି। ତେବେ ଏଭଳି ମହତ୍‌ ଉଦ୍ଦେଶ୍ୟ ଦିଗରେ କାମ କରି ସାମାଜିକ ପରିବର୍ତ୍ତନ ଆଣିପାରିଥିବାରୁ ପାୟଲ ଜାଙ୍ଗିଦଙ୍କୁ ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ଚେଞ୍ଜ ମେକର ଆଓ୍ବାର୍ଡ ଦେଇ ସମ୍ମାନିତ କରିଛି।

Share