Categories: ଖେଳ

ରାଜସ୍ଥାନ ଦଳରେ ବିଶ୍ୱର ଶ୍ରେଷ୍ଠ ବୋଲର

ନୂଆଦିଲ୍ଲୀ,୨୫।୮ : ଚଳିତ ଆଇପିଏଲ ସିଜନ୍‌ର ପରବର୍ତ୍ତୀ ଭାଗରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର ତାବରିଜ ଶାମସି। ଏହି ସ୍ପିନର ବର୍ତ୍ତମାନ ଆଇସିସି ଟି୨୦ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷରେ ଅଛନ୍ତି। ଶାମସିଙ୍କ ସହ ଫ୍ରାଞ୍ଚାଇଜ ପକ୍ଷରୁ ଚୁକ୍ତି କରାଯାଇଥିବା ନେଇ ବୁଧବାର କୁହାଯାଇଛି। ତେବେ ସେ ବଦଳ ଖେଳାଳି ଭାବେ ଦଳରେ ସାମିଲ ହୋଇଛନ୍ତି।

୩୧ ବର୍ଷୀୟ ଶାମସି ଦକ୍ଷିଣ ଆଫ୍ରିକାର ଘରୋଇ କ୍ରିକେଟରେ ଜୋହାନ୍ସବର୍ଗ ପକ୍ଷରୁ ପ୍ରତିନିଧିତ୍ୱ କରନ୍ତି। ୨୦୧୭ରେ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍‌ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେବେଠୋରୁ ୩୯ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଥିବା ବୋଲରଙ୍କ ନାମରେ ରହିଛି ୪୫ ଉଇକେଟ। ସେହିଭଳି ୨୭ ଦିନିକିଆରେ ୩୨ ଉଇକେଟ ନେଇଛନ୍ତି। ଆଇପିଏଲରେ ଖେଳିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଖରେ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି ) ପାଇଁ ୨୦୧୬ରେ ୪ ମ୍ୟାଚ୍‌ ଖେଳି ୩ ଉଇକେଟ ନେଇଥିଲେ। ସେଥର ମଧ୍ୟ ତାଙ୍କୁ ବଦଳ ଖେଳାଳି ଭାବେ ଆଇପିଏଲରେ ସୁଯୋଗ ମିଳିଥିଲା।

Share