ରାଜସ୍ଥାନ ଯାଇ ଜିତେନ୍ଦ୍ରଙ୍କୁ ଭେଟିଲା ମହିଳା କଂଗ୍ରେସ ଟିମ୍‌

ଭୁବନେଶ୍ୱର,୯ା୧୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିବା ଓଡିଶା ମହିଳା କଂଗ୍ରେସ ନେତ୍ରୀମାନେ ରବିବାର ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି। ଏହି ଓଡ଼ିଆ ଟିମ୍‌ ଦିଲ୍ଲୀରୁ ରାଜସ୍ଥାନ ଜିତେନ୍ଦ୍ରଙ୍କ ଗାଁକୁ ଗସ୍ତ କରି ତାଙ୍କ ସହ ସାକ୍ଷାତ କରିଛନ୍ତି। ଏହାସହ ତାଙ୍କ ସହିତ ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ପରିବର୍ତ୍ତନ ବିଷୟରେ ଆଲୋଚନା କରି ଫେରିଛନ୍ତି। ପ୍ରାୟ ସପ୍ତାହେରୁ ଅଧିକ ଦିନ ହୋଇଯିବ ଏହି ଟିମ୍‌ ଦିଲ୍ଲୀ ଗସ୍ତ କରିଥିବାବେଳେ ଆସନ୍ତା ୧୪ରେ ଫେରିବେ ବୋଲି ଜଣାପଡିଛି। ଏ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଓଡ଼ିଶାର ଏହି ଟିମ୍‌କୁ ସାକ୍ଷାତ କରିବା ସକାଶେ ସମୟ ଦେଇ ନ ଥିବା ଜଣାପଡିଛି। ତାଙ୍କ ଦେହ ଖରାପ ଥିବା ଯୋଗୁ ସେ କାହାରିକୁ ଦେଖା ହୋଇପାରୁ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ଉକ୍ତ ମହିଳା ଟିମ୍‌ କିନ୍ତୁ ଦିଲ୍ଲୀ ସବୁ ବଡ଼ବଡ଼ ନେତାଙ୍କୁ ଭେଟି ଓଡ଼ିଶା ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ କହୁଛନ୍ତି। କେବଳ ଓଡ଼ିଶାରୁ ଯାଇଥିବା ମହିଳା ଟିମ୍‌ ନୁହନ୍ତି ବରଂ ଦିଲ୍ଲୀରେ ରହୁଥିବା ଆଉ କେତେଜଣ ଓଡ଼ିଆ ନେତାମାନେ ମଧ୍ୟ ନିରଞ୍ଜନଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ଲାଗି ପଡ଼ିଛନ୍ତି। ଏହି ମହିଳା ଟିମ୍‌ ଫେରିବା ମାତ୍ରେ ଆଉ କେତେଜଣ ବରିଷ୍ଠ ତଥା ଆଗ ଧାଡ଼ିର ନେତା ମଧ୍ୟ ଦିଲ୍ଲୀ ଗସ୍ତ କରିବେ, ଏଥିରେ କେତେଜଣ ବିଧାୟକ ମଧ୍ୟ ନିରଞ୍ଜନଙ୍କ ବିରୋଧରେ ଯିବେ ବୋଲି ଜଣାପଡିଛି।

Share