Categories: ବାଣିଜ୍ୟ

ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଅପାଠୁଆଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

ଜୟପୁର,୩୦-୫: ରାଜସ୍ଥାନ ହାଇକୋର୍ଟ ଅପାଠୁଆ ଡ୍ରାଇଭରଙ୍କୁ ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ରାସ୍ତା କଡରେ ଦର୍ଶାଯାଇଥିବା ନିର୍ଦ୍ଦେଶ, ସାଇନ୍‌ ବୋର୍ଡ ଅଥବା ସତର୍କ ଚେତାବନୀ ପଢି ପାରୁ ନ ଥିବା ଡ୍ରାଇଭର ପଥଚାରୀଙ୍କ ଲାଗି ବିପଦ ହେଉଛନ୍ତି ଏବଂ ସେମାନଙ୍କର କ୍ଷତି ପହଞ୍ଚାଉଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ପ୍ରକାଶ ଶର୍ମା ନିଜର ୨ ପୃଷ୍ଠିଆ ଆଦେଶରେ କହିଛନ୍ତି ଯେ, ମୋଟର ବାହନ ନିୟମ କେବଳ ଲାଇସେନ୍ସ ପାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ହୋଇନାହିଁ। ବରଂ ପଥରେ ଚାଲୁଥିବା ସାଧାରଣ ଜନତାଙ୍କ ପାଇଁ ମଧ୍ୟ ହୋଇଛି। ସେମାନଙ୍କ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ଜରୁରୀ। ରାଜସ୍ଥାନ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଏକ ଗାଇଡଲାଇନ ଜାରି କରିବାକୁ ବିଚାରପତି ତାଙ୍କ ଆଦେଶରେ ଦର୍ଶାଇଛନ୍ତି। ପଢ଼ିବାରେ ଅକ୍ଷମ ଏଭଳି ଡ୍ରାଇଭରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶ ଜାରି କରିବା ସହ ଆବେଦନକାରୀ ଦୀପକ ସିଂଙ୍କ ଆବେଦନକୁ ମଧ୍ୟ ବିଚାରପତି ଖାରଜ କରିଦେଇଛନ୍ତି। ଦୀପକ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ନିକଟରେ ଦୀର୍ଘ ୧୩ ବର୍ଷ ଧରି ଲାଇଟ୍‌ ମୋଟର ଭେହିକିଲ୍‌ ଚଳାଇବାର ଅଭିଜ୍ଞତା ରହିଛି। ତାଙ୍କୁ ହେଭି ଭେହିକିଲ୍‌ ଚଳାଇବା ଲାଗି ଲାଇସେନ୍ସ ପ୍ରଦାନ କରାଯାଉ। କିନ୍ତୁ ଦୀପକ ଅପାଠୁଆ ବୋଲି ମାମଲାର ଶୁଣାଣି ବେଳେ ଜଣାପଡିଥିଲା।

Share