ରାଜସ୍ବ ଆଦାୟ ହ୍ରାସକୁ ନେଇ ବଢୁଛି ଚିନ୍ତା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ସମଗ୍ର ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ଓଡିଶା ଉପରେ ନାହିଁ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି। ତେବେ ରାଜସ୍ବ ସଂଗ୍ରହରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ରାଜ୍ୟର ଆର୍ଥିକ ସ୍ଥିତି ଚିନ୍ତାଜନକ ହେବା ସମ୍ଭାବନା ରହିଛି। ନିକଟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଓ ରାଜସ୍ବ ସଂଗ୍ରହ ନେଇ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ରାଜସ୍ବ ସଂଗ୍ରହକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ମିଳିଥିବା ସୂଚନା ମୁତାବକ, ସମୁଦାୟ ରାଜସ୍ବ ଆଦାୟ ୮.୯୧ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଖଣି ରାଜସ୍ବ ହ୍ରାସ ଆର୍ଥିକ ଚିନ୍ତାକୁ ବଢାଇ ଦେଇଛି। ଏଭଳି ଅବସ୍ଥା ଯଦି ଜାରି ରୁହେ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପୂରଣ କଷ୍ଟସାଧ୍ୟ ହେବ। ୨୦୧୯ ଅକ୍ଟୋବର ସୁଦ୍ଧା ଜମିବାଡି କ୍ଷେତ୍ରରୁ ଆସୁଥିବା ରାଜସ୍ବ ୭.୪ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଟିକସ ଓ ବିଦ୍ୟୁତ୍‌ ଶୁଳ୍କ ୨୦୦କୋଟି ଟଙ୍କା ଅର୍ଥାତ୍‌ ୧୧.୪୪ ପ୍ରତିଶତ କମ୍‌ ରହିଛି। ଏଭଳି ସମସ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ବକେୟା ଟିକସ ଆଦାୟ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏପରି କି ବକେୟା ରାଜସ୍ବ ପାଇଁ ସ୍ବତନ୍ତ୍ର ଯୋଜନା କରିବା ସକାଶେ କୁହାଯାଇଛି। ଟିକସ ଆଦାୟ ସମ୍ବନ୍ଧୀୟ ନିୟମକୁ କଡ଼ାକଡି ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଓ ସାଧାରଣ ଉଦ୍ୟୋଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

Share