Categories: ଜାତୀୟ

ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୨୭ା୫(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଏଥିସହିତ ତାଙ୍କୁ ସୋମବାର ଜେରା ପାଇଁ ହାଜର ହେବା ଲାଗି ସମନ କରାଯାଇଛି। ସେ ଯେପରି ଦେଶଛାଡ଼ି ଯାଇ ନ ପାରିବେ ସେଥିପାଇଁ ଲୁକ୍‌ ଆଉଟ ନୋଟିସ ମାଧ୍ୟମରେ ସମସ୍ତ ବିମାନବନ୍ଦର ଏବଂ ଅପ୍ରବାସନ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି। ସେ ଦେଶ ବାହାରକୁ ଯିବାକୁ ଉଦ୍ୟମ କଲେ ତୁରନ୍ତ ସିବିଆଇକୁ ଜଣାଇବା ଲାଗି ଉପରୋକ୍ତ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି। ଜେରା ପରେ ରାଜୀବଙ୍କୁ ସୋମବାର ଗିରଫ କରାଯାଇପାରେ ବୋଲି କୁହାଯାଉଛି।
୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରାଜୀବ ୨୫୦୦ କୋଟି ଟଙ୍କା ସାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ। ଏହି ଦୁର୍ନୀତିର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମୁଖ୍ୟ ଥିବାବେଳେ ରାଜୀବ ପ୍ରମାଣ ନଷ୍ଟ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତରେ ସହଯୋଗ କରୁ ନ ଥିବାରୁ ତାଙ୍କୁ ହାଜତକୁ ନେଇ ଜେରା କରିବା ଜରୁରୀ ବୋଲି ସିବିଆଇ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା। ଅନ୍ୟପକ୍ଷରେ କେନ୍ଦ୍ରର ଆଭିମୁଖ୍ୟକୁ ପଶ୍ଚିମବଙ୍ଗ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଆଚରଣ ବିଧି ଉଠିବା ପରେ ରାଜୀବ କୁମାରଙ୍କ ସମେତ ୧୧ ଆଇପିଏସ୍‌ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ପଦବୀରେ ପୁନଃ ଅବସ୍ଥାପିତ କରିଛନ୍ତିି।

Share