Categories: ଜାତୀୟ

ରାଜୀବ କୁମାରଙ୍କୁ ଆଶ୍ୱସ୍ତି: ମିଳିଲା ଆଗୁଆ ଜାମିନ

କୋଲକାତା,୧।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଶାରଦା ଚିଟଫଣ୍ଡ ମାମଲାରେ ତାଙ୍କୁ ଆଗୁଆ ଜାମିନ ଦେଇଛନ୍ତି କୋଲକାତା ହାଇକୋର୍ଟ। ଏହି ମାମଲାରେ ତାଙ୍କୁ ସିବିଆଇ ଗିରଫ କରିବା ପୂର୍ବରୁ ରାଜୀବ କୁମାର କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିବିଆଇ ନୋଟିସ ଅନୁଯାୟୀ ଜେରାର ସମ୍ମୁଖୀନ ହେବାକୁ ରାଜୀବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପଶ୍ଚିମବଙ୍ଗ ସିଆଇଡିର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ରାଜୀବ କୁମାର ପୂର୍ବରୁ କୋଲକାତା ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିଲେ। ବହୁ ଚର୍ଚ୍ଚିତ ଶାରଦ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ଏସଆଇଟିର ମୁଖ୍ୟ ରାଜୀବ କୁମାର ଥିଲେ। ତେବେ ସେ ଏହି ଦୁର୍ନୀତିରେ ସାମିଲ ଥିବା ଏକାଧିକ ରାଜନେତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ସିବିଆଇ ଜେରା କରିବା ସହ ଗିରଫ କରିବାକୁ ଚାହୁଁଛି।

Share