Categories: ବାଣିଜ୍ୟ

ରାଜ୍ୟଗୁଡ଼ିକୁ କେନ୍ଦ୍ରର ସର୍କୁଲାର ଜାରି;ଗାଡ଼ିର ଚାଲାଣ କାଟିବା ପୂର୍ବରୁ ଆପ୍‌ ମାଧ୍ୟମରେ ଯାଞ୍ଚ କର

ନୂଆଦିଲ୍ଲୀ,୨୪-୯: ଗାଡିର ଯାଞ୍ଚ ବେଳେ ଚାଳକଙ୍କ ଦ୍ୱାରା ମୂଳ କାଗଜପତ୍ର ଦାଖଲ କରାଯାଇ ନ ପାରିଲେ ଏମ୍‌-ପରିବହନ କିମ୍ବା ଇ-ଚାଲାଣ ମାଧ୍ୟମରେ ଯାଞ୍ଚ କରିବା ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ କିମ୍ବା ପୋଲିସ ଚାଲାଣ କାଟିପାରିବେ ବୋଲି କେନ୍ଦ୍ର ସରକାର ସୋମବାର ରାଜ୍ୟ ସରକାରଗୁଡ଼ିକୁ ସର୍କୁଲାର ଜାରି କରି ସ୍ପଷ୍ଟ କରିଛନ୍ତି। ଏଥିସହ ଏମ୍‌-ପରିବହନ ଆପ୍‌ର ଡିଜିଲକର୍‌ରେ ଥିବା ଗାଡ଼ିର ତଥ୍ୟକୁ ପୋଲିସ ଗ୍ରହଣ କରିବାକୁ ବାଧ୍ୟ ବୋଲି ଏଥିରେ ଦର୍ଶାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ସର୍କୁଲାର ଜାରି ପରେ ଗାଡ଼ି ମାଲିକମାନେ ସ୍ବସ୍ତିର ନିଃଶ୍ୱାସ ମାରିଛନ୍ତି। କାରଣ ବହୁ କ୍ଷେତ୍ରରେ ଦେଖାଯାଇଛି ଯେ, ଗାଡ଼ିର ସମସ୍ତ କାଗଜପତ୍ର ରହିଥିଲେ ସୁଦ୍ଧା ମାଲିକ ଏହାର ମୂଳ ଦସ୍ତାବେଜ ସାଥିରେ ରଖି ନ ଥିବାରୁ ପୋଲିସ ଚାଲାଣ କାଟୁଛି। ପୋଲିସ ଡିଜିଲକର୍‌ରେ ଥିବା ଗାଡ଼ିର ତଥ୍ୟକୁ ଗ୍ରହଣ କରୁନାହିଁ। ଏନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ବହୁ ଅଭିଯୋଗ ଆସିବା ପରେ ସର୍କୁଲାର ଜାରି କରାଯାଇଛି। ତେବେ ଗାଡ଼ି ଚାଳକଙ୍କ ନିକଟରେ ସ୍ମାର୍ଟଫୋନ ନ ଥିଲେ ପୋଲିସ ଏମ୍‌-ପରିବହନ କିମ୍ବା ଇ-ଚାଲାଣ ଆପ୍‌ରୁ ଗାଡ଼ିର ରେଜିଷ୍ଟ୍ରେଶନ, ଡ୍ରାଇଭିଂ ଲାଇସେନ୍ସ ଓ ପିୟୁସି(ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ)କୁ ଯାଞ୍ଚ କରିପାରିବେ। ସର୍କୁଲାରରେ କୁହାଯାଇଛି ଯେ, ଗାଡ଼ିର ସମସ୍ତ କାଗଜପତ୍ର ଡିଜିଲକର୍‌ରେ ସଞ୍ଚତ୍ତ ହୋଇଥିଲେ ଏହା ବୈଧ ହେବ ଏବଂ ଏହାକୁ ପୋଲିସ ମାନିବାକୁ ବାଧ୍ୟ। ମୂଳ ଦସ୍ତାବେଜ ଦେଖାଇ ନ ପାରିଲେ ମଧ୍ୟ ଗାଡ଼ି ଚାଳକଙ୍କଠାରୁ ଫାଇନ ଆଦାୟ କରାଯାଇପାରିବ ନାହିଁ। ସୂଚନାଥାଉ କି, ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ସଂଶୋଧିତ ସଡ଼କ ପରିବହନ ଆଇନ ଲାଗୁ ହେବା ପରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ବେଳେ ଲୋକଙ୍କୁ ଅଯଥା ହଇରାଣ ହରକତ କରାଯାଉଥିବାର ଅଭିଯୋଗ ହେଉଛି। ଗାଡ଼ି ଚାଳକଙ୍କ ଠାରୁ ଗାଡ଼ିର ମୂଳ ଦସ୍ତାବେଜ ଦାବି କରାଯାଉଛି। ଏହା ତତ୍‌କ୍ଷଣାତ ଉପସ୍ଥାପନ କରା ନ ଗଲେ ସେମାନଙ୍କ ଠାରୁ ବହୁ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଛି।

Share