Categories: ବାଣିଜ୍ୟ

ରାଜ୍ୟଗୁଡିକର ଦାବି; ୩ ବର୍ଷ ବଢୁ ଜିଏସ୍‌ଟି ସେସ୍‌

ନୂଆଦିଲ୍ଲୀ,୧୫-୯: ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ରାଜସ୍ବ କ୍ଷତି ସହୁଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି ଦାବି କରୁଛନ୍ତି। ଏହାକୁ ଆଉ ୩ ବର୍ଷ ବଢାଇବା ଲାଗି ଦାବି ହେଉଥିବା ପଞ୍ଚଦଶ ଅର୍ଥକମିଶନ ଅଧ୍ୟକ୍ଷ ଏନ୍‌.କେ.ସିଂ ଶନିବାର କହିଛନ୍ତି। ଅଟୋମୋବାଇଲ,ମୃଦୁପାନୀୟ, କୋଇଲା, ତମ୍ବାଖୁ, ପାନ ମସଲା ଭଳି କ୍ଷେତ୍ରରେ ଏହି ସେସ୍‌ ଲାଗୁ ହେଉଛି। ଯେଉଁ ରାଜ୍ୟଗୁଡିକର ବାର୍ଷିକ ରାଜସ୍ବ ଆଦାୟ ୧୪% ହାରରେ ବଢୁ ନାହିଁ ଉକ୍ତ କ୍ଷେତ୍ରରେ କ୍ଷତିପୂରଣ ଦେବାକୁ ୨୦୧୭ରେ ଜିଏସ୍‌ଟି ଲାଗୁ କରିବା ବେଳେ କେନ୍ଦ୍ର ସରକାର କହିଥିଲେ। ପଞ୍ଚଦଶ ଅର୍ଥ କମିଶନ କାର୍ଯ୍ୟ ଲାଗି ଭେଟିଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି ଇଛୁକ ଥିବା ସିଂ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଜିଏସ୍‌ଟି ହ୍ରାସ ଲାଗି ଅଧିକାଂଶ ଶିଳ୍ପ ସଂସ୍ଥା ଦାବି କରୁଛନ୍ତି। ଏହା ହେଲେ ଚାହିଦା ବଢିବା ଦିଗରେ ସହାୟକ ହେବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ସିଂଙ୍କର ଏହି ମନ୍ତବ୍ୟ ଶିଳ୍ପ ସଂସ୍ଥାଜଗତ ପାଇଁ କଣ ରହିବ ତାହା ଦେଖିବାକୁ ବାକି ରହିଲା। ସିଂ ଜିଏସ୍‌ଟି ପରିଷଦକୁ ଆସନ୍ତା ସପ୍ତାହରେ ଭେଟିବେ। ଏଠାରେ ଜିଏସ୍‌ଟି ଟିକସ ହାର ନିର୍ଦ୍ଧାରଣ ନେଇ ବିଭିନ୍ନ ନିଷ୍ପତ୍ତି ହେବ ବୋଲି ସେ ଆଶା ରଖିଛନ୍ତି। ବର୍ତ୍ତମାନର ୪ ଟିକସ ହାର ପରିବର୍ତ୍ତେ ୧୨% ଏବଂ ୧୮% ଷ୍ଟାଣ୍ଡାର୍ଡ ଟିକସ ହାର ସମ୍ପର୍କରେ ସରକାର ପୂର୍ବରୁ ତାଙ୍କ ଆଭିମୁଖ୍ୟ ଜଣାଇଛନ୍ତି। ଆଗାମୀ ଦିନରେ ଟିକସ ସ୍ଲାବ କମିବ ବୋଲି ଶୁଣାଯାଉଛି। ଜିଏସ୍‌ଟି ବ୍ୟବସ୍ଥାରେ ବିଭିନ୍ନ ଅସୁବିଧା ଯୋଗୁ ସରକାରଙ୍କ ରାଜସ୍ବ କମୁଥିବା ଟିକସ ବିଶେଷଜ୍ଞମାନେ ଏନ୍‌କେ ସିଂଙ୍କ ସହ ଆଲୋଚନା ପରେ ସୂଚନା ଦେଇଛନ୍ତି। ଏହାବାଦ ଜିଡ଼ିପି ଅଭିବୃଦ୍ଧି ସର୍ବନିମ୍ନ ସ୍ତରରେ ଥିବା ବେଳେ ରାଜ୍ୟଗୁଡିକ କିଭଳି ରାଜସ୍ବ ସଂଗ୍ରହର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜିଡ଼ିପି ଅଭିବୃଦ୍ଧି ଉନ୍ନତ ଥିବା ବେଳେ ସରକାର ଏଭଳି ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି।

Share