Categories: ବାଣିଜ୍ୟ

ରାଜ୍ୟଗୁଡିକୁ ଚିଠି ଲେଖିଲା ଶିଶୁ ଅଧିକାର ସଂସ୍ଥା: ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବିକ୍ରି ବନ୍ଦ କର

ନୂଆଦିଲ୍ଲୀ,୨୮-୪: ଶିଶୁ ଉତ୍ପାଦ ତିଆରିରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ଜନସନ ଆଣ୍ଡ ଜନସନର ଭାରତରେ ଅଡୁଆ ବଢ଼ିବାରେ ଲାଗିଛି।  କମ୍ପାନୀ ଦ୍ୱାରା ପ୍ରସ୍ତୁତ ବେବି ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ରହିଥିବା ରିପୋର୍ଟ ମିଳିବା ପରେ ଶିଶୁ ଅଧିକାର ଲାଗି କାର୍ଯ୍ୟ କରୁଥିବା ସଂସ୍ଥା ଏହାର ବିକ୍ରି ଉପରେ କଟକଣା ଜାରି କରିବାକୁ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛି। ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ(ଏନ୍‌ସିିପିସିଆର୍‌) ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ସଚିବଙ୍କ ନିକଟକୁ ପତ୍ର ଲେଖି ବେବି ଶାମ୍ପୁ ବିକ୍ରି ବନ୍ଦ ଲାଗି ପଦକ୍ଷେପ ନେବାକୁ କହିଛି। ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ କହିଛନ୍ତି ଯେ, ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲରଙ୍କ ରିପୋର୍ଟକୁ ସଂସ୍ଥା ଗୁରୁତ୍ୱର ସହ ନେଇ ଉକ୍ତ ନିର୍ଦ୍ଦେଶ ଦେଇଛି।

ଏହି ନିର୍ଦ୍ଦେଶ ଜାରି ହେବା ପରେ ଏବେ ଦେଶରେ ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବିକ୍ରି ହୋଇପାରିବ ନାହିଁ। ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲର ରିପୋର୍ଟରେ ଏହି ଶାମ୍ପୁରେ କ୍ୟାନସରକାରକ ତତ୍ତ୍ୱ ଫର୍ମାଲ୍‌ଡିହାଇଡ ମିଳିଛି। ଏଥିସହ ଶିଶୁ ଅଧିକାର ସଂସ୍ଥା ୫ ରାଜ୍ୟ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମରୁ ଜନସନ କମ୍ପାନୀର ବେବି ଶାମ୍ପୁ ଏବଂ ଟାଲକମ ପାଉଡରର ନମୁନା ସଂଗ୍ରହ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଏନ୍‌ସିପିସିଆର କହିଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜନସନର ବେବି ଶାମ୍ପୁ ବିକ୍ରି ବନ୍ଦ କରାଯାଉ।

ଏଥିସହ ସମସ୍ତ ଦୋକାନରୁ ଷ୍ଟକ୍‌ ହଟାଇ ଦେବାକୁ କୁହାଯାଇଛି। ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲରଙ୍କୁ ଜନସନର ଟାଲକମ୍‌ ପାଉଡର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଅଜଣା ସୂତ୍ରରୁ ସଂଗ୍ରୁହିତ ଏବଂ ପୂର୍ବରୁ ସ୍ଥିରୀକୃତ ହୋଇ ନ ଥିବା ପଦ୍ଧତିରେ ସରକାରୀ ଯାଞ୍ଚ ରିପୋର୍ଟକୁ କମ୍ପାନୀ ଗ୍ରହଣ କରିବ ନାହିଁ। ସେଣ୍ଟ୍ରାଲ ଡ୍ରଗ୍ସ ଲାବରେଟୋରିର ରିପୋର୍ଟକୁ କମ୍ପାନୀ ଅପେକ୍ଷା କରୁଛି। ତେବେ ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବ୍ୟବହାର ପାଇଁ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ସରକାରୀ ମାନଦଣ୍ଡ ଅନୁଯାୟୀ ଏହାର ଉତ୍ପାଦନ କରାଯାଉଛି ବୋଲି କମ୍ପାନୀ କହିଛି।

Share