Categories: ଖେଳ

ରାଜ୍ୟଗୋଷ୍ଠୀ ଜୁଡୋ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ନିତ୍ୟା

ଭୁବନେଶ୍ୱର, ୧୦।୭(କ୍ରୀଡ଼ା ପ୍ରତିନିଧି)-ସେପ୍ଟେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ନିତ୍ୟା ମାଝୀ ମନୋନୀତ ହୋଇଛନ୍ତି। କିସ ଛାତ୍ର ନିତ୍ୟା ୪୬କେଜି ବର୍ଗର ପ୍ରି-କ୍ୟାଡେଟ ବାଳକ ବିଭାଗରେ ଅଂଶଗ୍ରହର କରିବେ। ଜୁଲାଇ ୭ ତାରିଖରେ ନୂଆଦିଲ୍ଲୀ କୋଟଲାସ୍ଥିତ ନ୍ୟାଶନାଲ ବାଲ୍‌ ଭବନଠାରେ ଭାରତୀୟ ଜୁଡୋ ଫେଡେରେଶନ ପକ୍ଷରୁ ଅନୁଷ୍ଠିତ ପ୍ରଶିକ୍ଷଣ ଓ ଚୟନ ଶିବିରରେ ହରିଆଣା, ମହାରାଷ୍ଟ୍ର ଓ ଦିଲ୍ଲୀର ଜୁଡ଼ୋକାମାନଙ୍କୁ ହରାଇ ନିତ୍ୟା ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି। ନିତ୍ୟା ଏବେ କିସ୍‌ର ୧୦ମ ଶ୍ରେଣୀରେ ଅଧ୍ୟୟନରତ। ଏହା ପୂର୍ବରୁ ସେ ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଜାତୀୟସ୍ତରର ଜୁଡ଼ୋ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ୨୦୧୩ ମସିହାରୁ ସେ କିସ୍‌ର ଜୁଡ଼ୋ କୋଚ୍‌ କନ୍ଦନ ମୁର୍ମୁଙ୍କଠାରୁ ନିୟମିତ ପ୍ରଶିକ୍ଷଣ ନେଇ ଆସୁଛନ୍ତି। ଚଳିତବର୍ଷ ଇଂଲଣ୍ଡ ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିୟନଶିପ ଆୟୋଜନ କରୁଛି। ଏଥିରେ ପ୍ରି-କ୍ୟାଡେଟ, କ୍ୟାଡେଟ, ସିନିୟର, ଜୁନିୟର, ଭେଟେରାନ ଓ ଦିବ୍ୟାଙ୍ଗ ଜୁଡ଼ୋକା ଭାଗନେବେ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁରୁଡ଼ିମାହା ଗ୍ରାମର ଏକ ଗରିବ ଜନଜାତି ପରିବାରରୁ ଆସିଥିବା ନିତ୍ୟାଙ୍କ ବାପା ଆବ୍ରାହମ ମାଝୀ କୃଷି ଶ୍ରମିକ ଭାବେ ଗୁଜୁରାଣ ମେଣ୍ଟାଇଥାନ୍ତି। ଆଗାମୀ ପ୍ରତିଯୋଗିତାରେ ସଫଳତା କାମନା କରି ନିତ୍ୟାଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

Share