Categories: ଖେଳ

ରାଜ୍ୟଗୋଷ୍ଠୀ ଟିଟି: ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ

କଟକ ଅଫିସ,୧୨ା୭-ଆସନ୍ତା ୧୭ରୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଟେବୁଲ ଟେନିସ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ପାଇଁ ଅନଲାଇନ ଟିକେଟ ବିକ୍ରି ଗୁରୁବାର ମଧ୍ୟାହ୍ନରୁ ଆରମ୍ଭ ହୋଇଛି । www.paytm.com, www.insider.in ୱେବସାଇଟରେ ଟିକେଟ ବିକ୍ରି ଚାଲିଛି । ୫୦, ୧୦୦, ୨୦୦ ଓ ୪୦୦ ଟଙ୍କାର ଟିକେଟ ବିକ୍ରି କରାଯାଉଛି । ଧାର୍ଯ୍ୟ ୫୦ ଓ ୧୦୦ ମୂଲ୍ୟର ଟିକେଟ ଗୁଡ଼ିକ ଗୋଟିଏ ଦିନ ନିମନ୍ତେ ସମୟସୀମା ରହିଥିବା ବେଳେ ୨୦୦ ଓ ୪୦୦ ଟଙ୍କା ବିଶିଷ୍ଟ ଟିକେଟ ଦ୍ୱାରା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ପାଇ ପାରିବେ ଦର୍ଶକ । ୧୫ ତାରିଖରୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପରିସରରେ ବକ୍ସ ଅଫିସ ଖୋଲାଯାଇ ଟିକେଟର ହାର୍ଡକପି ପ୍ରଦାନ କରାଯିବ । ମୋଟ ୫ହଜାର ଟିକେଟ ଅନଲାଇନରେ ଉପଲବ୍ଧ ଅଛି ବୋଲି ରାଜ୍ୟ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି । ଛାତ୍ରୀଛାତ୍ରଙ୍କ ନିମନ୍ତେ କିଛି କମ୍ପ୍ଲିମେଣ୍ଟାରୀ ଟିକେଟର ବ୍ୟବସ୍ଥା ମଧ୍ୟ ହେବ ବୋଲି ଜଣାପଡ଼ିଛି । ରାଜ୍ୟ କ୍ରୀଡ଼ା ଓ ଯୁବ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଏହା ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି । ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅଧିକରୁ ଅଧିକ ଦର୍ଶକ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ ବୋଲି ଆଶା ରହିଛି । ରାଜ୍ୟ କ୍ରୀଡ଼ା ବିଭାଗର କମିଶନର ତଥା ସଚିବ ବିଶାଲ କୁମାର ଦେବ କହିଛନ୍ତି, ଅନଲାଇନରେ ଟିକେଟ ବୁକ କରିବା ସହଜ ପ୍ରକ୍ରିୟା ଅଛି । ଲୋକମାନେ ଏହି ଗେମକୁ ଉପଭୋଗ କରିବାକୁ ଅଧିକ ମାତ୍ରାରେ ଆସନ୍ତୁ ବୋଲି ସେ ନିବେଦନ କରିଛନ୍ତି । ପ୍ରତିଯୋଗିତାରେ ୧୬ଟି ଦେଶ ଭାଗ ନେବା ସ୍ପଷ୍ଟ ହୋଇଛି । ଅଷ୍ଟ୍ରେଲିଆ, ବାଲାଂଦେଶ, ସାଇପ୍ରସ, ଇଂଲଣ୍ଡ, ଘାନା, ଗୁଏନା, ଭାରତ, ମାଲେସିଆ, ନାଇଜେରିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଉଗାଣ୍ଡା, ୱେଲସ୍‌ ଓଡ଼ିଶା ଆସୁଛନ୍ତି । ଜର୍ସି ଦଳ ଭିଜା ସମସ୍ୟା ଯୋଗୁଁ ଆସି ପାରୁ ନ ଥିବା ଜଣାପଡ଼ିଛି ।

Share