କଟକ ଅଫିସ,୧୮ା୭- ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ଦଳଗତ ଇଭେଣ୍ଟର ପ୍ରଥମ ଦୁଇଟି ଯାକ ରାଉଣ୍ଡ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଏଥି ସହ ଭାରତ ଦ୍ୱିତୀୟ ରାଉଣ୍ଡ ତଥା ସୁପର ଏଇଟ୍ରେ ପ୍ରବେଶ କରିଛି । ପ୍ରତ୍ୟେକ ରାଉଣ୍ଡରେ ଭାରତୀୟ ଖେଳାଳିମାନେ ବିଜୟ ହାସଲ କରିଥିବା ବେଳେ ମାତ୍ର ୨ଟି ଗେମରେ ଭାରତୀୟ ଖେଳାଳି ପରାଜୟର ସମ୍ମୁଖୀନ ହୋଇଛନ୍ତି । ସିଙ୍ଗାପୁର ବିପକ୍ଷରେ ଶରଥ କମଲ ଓ ଶ୍ରୀଲଙ୍କା ବିପକ୍ଷରେ ଆହିକା ମୁଖାର୍ଜୀ ଗୋଟିଏ ଗୋଟିଏ ଗେମରେ ହାରିଥିଲେ । ଗ୍ରୁପ-ବିରେ ସ୍ଥାନ ପାଇଥିବା ଭାରତୀୟ ପୁରୁଷ ଦଳର ପ୍ରଥମ ମୁକାବିଲା ହୋଇଥିଲା ସ୍କଟଲାଣ୍ଡ ବିପକ୍ଷରେ । ସ୍କଟଲ୍ୟାଣ୍ଡକୁ ୩-୦ ସେଟରେ ଭାରତ ହରାଇଥିଲା । ଜି ସାଥିୟଁା, ଅଚନ୍ତ ଶରଥ କମଲ, ହରମିତ ଦେଶାଇ ଭାରତ ପକ୍ଷରୁ ଏହି ରାଉଣ୍ଡରେ ପ୍ରତିନିଧିତ୍ୱ କରୁଥିଲେ । ଦ୍ୱିତୀୟ ରାଉଣ୍ଡରେ ଏହି ୩ ଖେଳାଳିଙ୍କୁ ନେଇ ଭାରତ ୩-୦ ସେଟରେ ଶକ୍ତିଶାଳୀ ସିଙ୍ଗାପୁରକୁ ପରାସ୍ତ କରିଥିଲା । ପୁରୁଷ ବିଭାଗରେ ଇଂଲଣ୍ଡ ଉଭୟ ସାଇପ୍ରସ ଓ ଶ୍ରୀଲଙ୍କାକୁ ୩-୦ ସେଟରେ, ଅଷ୍ଟ୍ରେଲିଆ ୱେଲସ ଓ ଦକ୍ଷିଣଆଫ୍ରିକାକୁ ୩-୦ ସେଟରେ, ନାଇଜେରିଆ ୩-୦ ସେଟରେ ବାଲାଂଦେଶକୁ ପରାସ୍ତ କରିଥିବା ଜଣାପଡ଼ିଛି । ସେହିପରି ଭାରତୀୟ ମହିଳା ଖେଳାଳିମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ରାଉଣ୍ଡରେ ଦଳ ଶ୍ରୀଲଙ୍କାକୁ ୩-୦ ସେଟରେ ହରାଇଥିଲା । ମନିକା ବାତ୍ରା, ଅର୍ଚ୍ଚନା କାମଥ ଓ ଆହିକା ମୁଖାର୍ଜୀ ଏହି ରାଉଣ୍ଡରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଥିଲେ । ଦ୍ୱିତୀୟ ରାଉଣ୍ଡରେ ଭାରତ ୩-୦ ସେଟରେ ଦକ୍ଷିଣଆଫ୍ରିକାକୁ ହରାଇଛି । ଅର୍ଚ୍ଚନା କାମଥ, ମାଧୁରିକା ପାଟେକର ଓ ସୁତୀର୍ଥ ମୁଖାର୍ଜୀ ଏହି ରାଉଣ୍ଡରେ ଭାଗ ନେଇଥିଲେ । ମହିଳା ବିଭାଗରେ ସିଙ୍ଗାପୁର ଦଳ ୩-୦ ସେଟରେ ସ୍କଟଲ୍ୟାଣ୍ଡ ଓ ୱେଲସକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମ ରାଉଣ୍ଡରେ ୩-୦ ସେଟରେ ସାଇପ୍ରସକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମାଲେସିଆ ଠାରୁ ୩-୧ ସେଟରେ ହାରିଥିଲା । ନାଇଜେରିଆ ମଧ୍ୟ ପ୍ରଥମ ରାଉଣ୍ଡରେ ବାଲାଂଦେଶକୁ ୩-୦ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ଇଂଲଣ୍ଡ ଠାରୁ ୩-୧ ସେଟରେ ପରାସ୍ତ ହୋଇଛି।
ମିଳିଲା ସ୍ବୀକୃତି: ଆସିବେ ଉଗାଣ୍ଡା, ଗାୟନା
ସରକାରୀ ସ୍ବୀକୃତି ମିଳି ପାରୁ ନ ଥିବାରୁ ଉଗାଣ୍ଡା ଓ ଗାୟନା ଏହି ବିଗ ଗେମରେ ଭାଗ ନେଇ ପାରୁ ନାହାନ୍ତି ବୋଲି ଭାରତୀୟ ଟିଟି ଫେଡେରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଏବେ ଏହି ଦୁଇ ଦଳ ଖୁବଶ୍ରୀଘ ଭାରତ ଆସିବେ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି । ଦଳଗତ ଇଭେଣ୍ଟରେ ଉଭୟ ଦଳ ଅନୁପସ୍ଥିତ ରହିଥିବା ବେଳେ ସିଙ୍ଗିଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଏମାନେ ଯୋଗ ଦେବେ । ଉଗାଣ୍ଡାର ୫ଜଣିଆ ଓ ଗାୟନାର ୩ଜଣିଆ ଦଳ ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ସୂଚନା ଥାଉକି, ଆସନ୍ତା ୨୦ ତାରିଖରୁ ସିଙ୍ଗିଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ମୁକାବିଲା ହେବ । ପ୍ରତିଯୋଗିତାରେ ଦଳ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।