Categories: ଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଦଳଗତ ଇଭେଣ୍ଟରେ ଭାରତକୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୦ା୭- ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ ତମ ସଂସ୍କରଣରେ ଭାରତ ଦଳଗତ ଇଭେଣ୍ଟରେ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି । ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଏହି ମେଗା ପ୍ରତିଯୋଗିତାର ଶୁକ୍ରବାର ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତୀୟ ଦଳ ଚାମ୍ପିୟନ ହୋଇଛି । ଉଭୟ ବିଭାଗର ଫାଇନାଲରେ ଭାରତୀୟ ଦଳର ପ୍ରତିଦ୍ୱନ୍ଦୀ ଥିଲା ଇଂଲଣ୍ଡ । ମହିଳା ବିଭାଗରେ ୩-୦ ସେଟରେ ସହଜ ବିଜୟ ହାସଲ କରି ଦଳ ଚାମ୍ପିୟନ ହୋଇଥିବା ବେଳେ ପୁରୁଷ ବିଭାଗର ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରାରମ୍ଭରୁ ପଛରେ ପଡ଼ିଥିବା ଭାରତୀୟ ପୁରୁଷ ଦଳ ୩-୨ ସେଟରେ ଇଂଲଣ୍ଡକୁ ଫାଇନାଲରେ ହରାଇଥିଲେ । ଉଭୟ ବିଭାଗରେ ଇଂଲଣ୍ଡ ରୌପ୍ୟ ଓ ସିଙ୍ଗାପୁର ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‌ ଝାବେରୀ, ଅଲିମ୍ପିଆନ ଶୁଟର ଅଭିନବ ବିନ୍ଦ୍ରା ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ମିକ୍ସଡ ଡବଲ୍ସ ଇଭେଣ୍ଟ ମଧ୍ୟ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି । ଶୁକ୍ରବାର ଉଭୟ ବିଭାଗର ସେମିଫାଇନାଲ ମୁକାବିଲା ହୋଇଥିଲା । ମହିଳା ବିଭାଗର ପ୍ରଥମ ସେମିଫାଇନାଲ ଇଂଲଣ୍ଡ ଓ ନାଇଜେରିଆ ଭିତରେ ହୋଇଥିବା ବେଳେ ଇଂଲଣ୍ଡ ୩-୦ ସେଟରେ ବାଜିମାତ କରିଥିଲା । ଦ୍ୱିତୀୟ ସେମି ମୁକାବିଲାରେ ଭାରତ ୩-୦ ସେଟରେ ସିଙ୍ଗାପୁରକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ପୁରୁଷ ବିଭାଗର ସେମିଫାଇନାଲରେ ମଧ୍ୟ ଭାରତର ମୁକାବିଲା ହୋଇଥିଲା ସିଙ୍ଗାପୁର ସହ । ୩-୦ ସେଟରେ ଭାରତ ଉକ୍ତ ମ୍ୟାଚ୍‌କୁ ଜିତିଥିଲା । ଅନ୍ୟଏକ ସେମିଫାଇନାଲରେ ଇଂଲଣ୍ଡ ୩-୧ ସେଟରେ ମାଲେସିଆକୁ ପରାସ୍ତ କରିଥିଲା ।

Share