Categories: ଖେଳ

ରାଜ୍ୟଗୋଷ୍ଠୀ ଶୁଟିଂ, ଆର୍ଚେରୀ ଇଭେଣ୍ଟ ଭାରତରେ

ଲଣ୍ଡନ, ୨୪ା୨ (ପି.ଟି.)-୨୦୨୨ ଜାନୁୟାରୀରେ ଭାରତ ରାଜ୍ୟଗୋଷ୍ଠୀ ଶୁଟିଂ ଓ ଆର୍ଚେରୀ ଚାମ୍ପିୟନଶିପ୍‌ ଆୟୋଜନ କରିବ। ଏହି ଦୁଇଟି ଇଭେଣ୍ଟର ପଦକଗୁଡ଼ିକ ବର୍ମିଂହାମ ଗେମ୍ସର ଚୂଡ଼ାନ୍ତ ତାଲିକାରେ ସାମିଲ କରାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍‌) ଏହି ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏହା ଏକ ବିରଳ ଦୃଷ୍ଟାନ୍ତ। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପନର ଏକ ସପ୍ତାହ ପରେ ଏହି ପଦକଗୁଡ଼ିକୁ ସାମିଲ କରାଯିବ। ଏଠାରେ ଗତ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସିଜିଏଫ୍‌ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ଭାରତର ଏକ ବଡ଼ ବିଜୟ ବୋଲି କୁହାଯାଇପାରେ। କାରଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଶୁଟିଂ ଏବଂ ଏକ ଅତିରିକ୍ତ କ୍ରୀଡ଼ା ଆର୍ଚେରୀକୁ ବାଦ୍‌ ଦିଆଯିବା ଲାଗି ବିଚାର ପରେ ପ୍ରତିବାଦ ସ୍ବରୂପ ଆସନ୍ତା ବର୍ମିଂହାମ ସଂସ୍କରଣରୁ ଭାରତ ଓହରିଯିବ ବୋଲି ଧମକ ଦେଇଥିଲା। ଚଣ୍ଡୀଗଡ଼ରେ ୨୦୨୨ ଜାନୁୟାରୀରେ ଶୁଟିଂ ଓ ଆର୍ଚେରୀ ଇଭେଣ୍ଟ ହେବାକୁ ଥିବାବେଳେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଜୁଲାଇ ୨୭ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ହେବ। ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ସଭାପତି ରଣଧୀର ସିଂ ସିଜିଏଫ୍‌ର ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଅଭିନବ ଏବଂ ଅଦ୍ଭୂତପୂର୍ବ ବୋଲି କହିଛନ୍ତି।

Share