Categories: ଜାତୀୟ

ରାଜ୍ୟପାଳଙ୍କ ଦ୍ୱିତୀୟ ପ୍ରେମପତ୍ର ମୋତେ ଆଘାତ ଦେଇଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୧୯।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ଏକ ପ୍ରକାର ଚିନ୍ତାରେ ପଡିଯାଇଛନ୍ତି। ଗୁରୁବାର ଆସ୍ଥାଭୋଟ ହୋଇ ପାରି ନ ଥିବା ବେଳେ ଶୁକ୍ରବାର ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିବା ପୁଣିଥରେ ଅଡୁଆ ବଢାଇ ଦେଇଛି। ଇତିମଧ୍ୟରେ ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି ଚିଠି ପାଇବା ପରେ କୁମାରସ୍ବାମୀ କହିଛନ୍ତି, ସେ ରାଜ୍ୟପାଳଙ୍କୁ ସମ୍ମାନ କରନ୍ତି। ହେଲେ ତାଙ୍କର ଏହି ଦ୍ୱିତୀୟ ପ୍ରେମ ପତ୍ରଟି ତାଙ୍କୁ ଆଘାତ ଦେଇଛି। ସେ ଆହୁରି ପ୍ରଶ୍ନ କରିଛନ୍ତି କି ରାଜ୍ୟପାଳ ଗତ ୧୦ ଦିନ ହେବ ଚାଲିଥିବା ଘୋଡା ବେପାର ବୋଧହୁଏ ଦେଖୁଛନ୍ତି। ଏହାପରେ କୁମାରସ୍ବାମୀ ଆସ୍ଥା ଭୋଟକୁ ନେଇ ବାଚସ୍ପତି ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି। ଏହା ଦିଲ୍ଲୀର ନିର୍ଦ୍ଦେଶରେ ନ ହେଉ ବୋଲି ସେ କହିବା ସହ ରାଜ୍ୟପାଳଙ୍କ ନିକଟରୁ ଆସିଥିବା ଚିଠିରୁ ତାଙ୍କୁ ବଞ୍ଚାନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

Share