ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫ ବ୍ୟାଚ୍‌ର ଏହି ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ବ୍ୟୟ ବିଭାଗ ସଚିବ ଥିଲେ। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ସେ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ବେତନଟୀ ଥାନା ଅନ୍ତର୍ଗତ ଖଡ଼ିଶୋଳ ପଞ୍ଚାୟତର କଞ୍ଚତ୍ଶୋଳ ଗାଁରେ ୧୯୫୯ ନଭେମ୍ବର ୨୧ରେ ଗିରୀଶଙ୍କ ଜନ୍ମ। ପିତା ସ୍ବର୍ଗତ ଭାଗବତ ମୁର୍ମୁ ଥିଲେ ଜଣେ ସାହିତି୍ୟକ (ଅଲ୍‌ଚିକ୍‌ ଲିପି)। ତାଙ୍କ ମା’ ପାର୍ବତୀ ମୁର୍ମୁ। ଗିରୀଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ବର୍ମିଂହାମ ୟୁନିଭର୍ସିଟିରେ ଏମ୍‌ବିଏ କରିଥିଲେ।
କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଆତ୍ମପ୍ରକାଶ କରିବାକୁ ଯାଉଥିଲାବେଳେ ଏହାର ୬ ଦିନ ପୂର୍ବରୁ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୭୭ ବ୍ୟାଚର ତ୍ରିପୁରା କ୍ୟାଡର ଆଇଏଏସ୍‌ ଅଫିସର ରାଧାକୃଷ୍ଣ ମାଥୁରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବରୁ ପ୍ରତିରକ୍ଷା ସଚିବ ଓ ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ କାର୍ଯ୍ୟ କରିଥିଲେ। ସେ ତ୍ରିପୁରାର ମୁଖ୍ୟ ସଚିବ ମଧ୍ୟ ଥିଲେ। ବର୍ତ୍ତମାନ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କୁ ଗୋଆ ବଦଳି କରାଯାଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି। ସେହିପରି ଭାଜପାର କେରଳ ସଭାପତି ଥିବା ପି.ଏସ୍‌. ଶ୍ରୀଧରନ ପିଲାଇଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।

Share