Categories: ଜାତୀୟ

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କଶ୍ମୀରକୁ କହିଲେ ନାଗାଲାଣ୍ଡର ରାଜଧାନୀ !

ଲକ୍ଷ୍ନୌ,୨୮।୧୧: ଉତ୍ତରପ୍ରଦେଶରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଜଣେ ପ୍ରଧାନ ଶିକ୍ଷକ କଶ୍ମୀରକୁ ନାଗାଲାଣ୍ଡ ରାଜଧାନୀ କହି ହଟହଟା ହୋଇଛନ୍ତି। ପ୍ରତାପଗଡ଼ର ଡିଏମ୍‌ ମାର୍କେଣ୍ଡେୟ ଶାହି ସ୍ଥାନୀୟ କୁଣ୍ଡା ତହସିଲ୍‌ର ଲକ୍ଷ୍ମଣ ବ୍ଲକ୍‌ରେ ଥିବା ଲକ୍ଷ୍ମଣପୁର ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ଜ୍ଞାନ ପରୀକ୍ଷା କରିଥିଲେ। ୬୯, ୭୭, ୭୮ ସଂଖ୍ୟା ମଧ୍ୟରେ କେଉଁଟି ବଡ଼ ବୋଲି ସେ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନ କରିଥିଲେ। ଛାତ୍ରୀଛାତ୍ର ଉତ୍ତର ନ ଦେଇ ପାରିବାରୁ ଉପସ୍ଥିତ ଥିବା ପ୍ରଧାନ ଶିକ୍ଷକ ଜୟ ପ୍ରକାଶଙ୍କୁ ଡିଏମ୍‌ ଏହା ପଚାରି ଥିଲେ। ପ୍ରଧାନ ଶିକ୍ଷକ କହିଥିଲେ ଯେ, ଗଣିତ ପଢ଼ାନ୍ତି ନାହିଁ। ଏହାପରେ ଡିଏମ୍‌ ପ୍ରଧାନ ଶିକ୍ଷକଙ୍କୁ ପଞ୍ଜାବର ରାଜଧାନୀ ପଚାରିଥିଲେ। ସେ କହିଥିଲେ ଚନ୍ଦୋଲି ପଞ୍ଜାବର ରାଜଧାନୀ। ସେହିପରି ପ୍ରଧାନ ଶିକ୍ଷକ ପଞ୍ଜାବକୁ ତାମିଲନାଡୁ ରାଜଧାନୀ ବୋଲି ଉତ୍ତର ଦେଇଥିଲେ। ଏହାପରେ ୧୭କ ପଣିକିଆ ମଧ୍ୟ ପ୍ରଧାନ ଶିକ୍ଷକ କହିପାରି ନ ଥିଲେ। ଜୟପ୍ରକାଶ ୨୦୧୦ରେ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କଠାରୁ ଶ୍ରେଷ୍ଠ ଶିକ୍ଷକ ଭାବେ ପୁରସ୍କାର ଗ୍ରହଣ କରିଛନ୍ତି। ଡିଏମ୍‌ଙ୍କ ଗସ୍ତ ସମୟରେ ବିଦ୍ୟାଳୟର ୧୦୬ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବଳ ୨୦ ଜଣ ଉପସ୍ଥିତ ଥିଲେ।

Share