ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍ପର ଆନନ୍ଦପୁର

ଆନନ୍ଦପୁର, ୩୦।୧(ସ୍ବ.ପ୍ର.)- ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଆନନ୍ଦପୁର ସହର ବେଶ୍‌ ତତ୍ପର ହୋଇଉଠିଛି। ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ଚଳିତ ମାସ ୩୧ ତାରିଖରେ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ୍‌ ଜୁବିଲି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସ ୨ ତାରିଖରେ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରୀମାନଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଜୁବିଲି ସମାବେଶକୁ ଲକ୍ଷ୍ୟ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସହର ମଧ୍ୟଭାଗକୁ ଯାଇଥିବା ରାସ୍ତାଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ବ୍ରିଜଛକ ଠାରେ ଥିବା ଅଧାଗଢା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା, ବୃକ୍ଷରୋପଣ କରାଯିବା ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି। ରାସ୍ତାର ଉଭୟ ପାର୍ଶ୍ୱକୁ ସଫାସୁତୁରା କରାଯାଇ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଉଥିବା ଦେଖାଯାଇଛି। ପ୍ରଶାସନ ଦ୍ୱାରା ତରବରିଆ ଭାବେ ଅଧାଗଢା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ନିମନ୍ତେ କରାଯାଉଥିବା ଉଦ୍ୟମକୁ ସାଧାରଣରେ ସ୍ବାଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆନନ୍ଦପୁର ଷ୍ଟାଡିୟମ ଏବଂ ବିଏନ ହାଇସ୍କୁଲ ପଡିଆ ଠାରେ ଦୁଇ ଗୋଟି ହେଲିପ୍ୟାଡର ବ୍ୟବସ୍ଥା କରାଯାଇଥିବାବେଳେ ସାଧାରଣ ସଭା ପାଇଁ ବାରିକେଡର ବ୍ୟବସ୍ଥା କରାଯାଇଛି।

Share