ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ସାଢେ ୪ କୋଟି ଲୋକ ଧର୍ଯ୍ୟର ସହିତ କରୋନା ବିପତ୍ତିର ମୁକାବିଲା କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଭଳି ଏକ ସଙ୍କଟାପନ୍ନ ସମୟରେ ବିଜେଡିର ସମସ୍ତ କର୍ମୀ ଏବଂ ଶୁଭେଚ୍ଛୁମାନଙ୍କୁ ନିଜ ଅଞ୍ଚଳର କୌଣସି ବ୍ୟକ୍ତିଙ୍କୁ ଭୋକିଲା ରହିବାକୁ ନ ଦେବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟଭାବେ ବିବେଚନାକରି ଏଭଳି ସମୟରେ ଭୋକିଲା ଲୋକଙ୍କ ପାଖରେ ଛିଡ଼ାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଏପରି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ୱଭାବେ ଗ୍ରହଣ କରନ୍ତୁ। ଏହି ସମୟରେ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ ଠିକ୍‌ ଭାବେ ଅନୁପାଳନ କରିବା ସହ ଗାଇଡ୍‌ଲାଇନର ସମସ୍ତ ନିୟମକୁ ମାନନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରୁଥିଲେ ମାସ୍କ ବ୍ୟବହାର କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ଏକ ସାମାଜିକ ଆନ୍ଦୋଳନରେ ପାଳନ କରନ୍ତୁ ବୋଲି ଦଳର ସମସ୍ତ କର୍ମୀ ଏବଂ ଶୁଭେଚ୍ଛୁଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଅନୁରୋଧ କରିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ସମସ୍ତ ନିର୍ବାଚିତ ପ୍ରତିନିଧି, ପୌର ପରିଷଦ, ମହାନଗର ନିଗମର ସମସ୍ତ ପ୍ରତିନିଧି, ବ୍ଲକ ଅଧ୍ୟକ୍ଷ ତଥା ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ବିଜେଡିର ସବୁ କର୍ମୀ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତ ଅଭାବର ମୁକାବିଲା କରିବା ଏବଂ ସାମାଜିକ ଦାୟିତ୍ୱ ନିର୍ବାହ ଉପରେ ଦଳର ସଭାପତି ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ଆହ୍ବାନ ସହକାରେ ଗ୍ରହଣ କରିବାକୁ ସଞ୍ଜୟ ନିବେଦନ କରିଛନ୍ତି।

Share