ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା: କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ, ଆହୁରି ସାବଧାନ ହେବାକୁ ପଡ଼ିବ

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ରାଜ୍ୟବାସୀଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଗତ ୯ ତାରିଖରୁ ୧୯ ତାରିଖ ଅର୍ଥାତ୍‌ ୧୦ ଦିନ ଭିତରେ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଛି। ଭାରତରେ ପଜିଟିଭ୍‌ ସଂଖ୍ୟା ୩ ଗୁଣ ହୋଇ ୧୫ ହଜାରରେ ପହଞ୍ଚିଲାଣି। ଏପରିକି ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଛି। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଗୁଣା ପରୀକ୍ଷଣ କରାଯାଉଥିବା ବେଳେ ଆକ୍ଟିଭ୍‌ କେସ୍‌ ମଧ୍ୟ କମିଛି। ଓଡ଼ିଶାବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ତ୍ୟାଗ ପାଇଁ ଏହା ସମ୍ଭବ ହୋଇପାରିଛି। କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଏଥିପାଇଁ ଆମକୁ ଆହୁରି ସାବଧାନ ହେବାକୁ ପଡ଼ିବ। ଓଡ଼ିଶାରେ କରୋନା ନିୟନ୍ତ୍ରଣ କରିବାକୁ ବାଧ୍ୟତାମୂଳକ ଭାବେ ରେଜିଷ୍ଟ୍ରେଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଦେଶାଗତଙ୍କୁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ରେ ରଖିବା ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଛି।
ସେହିଭଳି ଓଡ଼ିଶାରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି। ସେମାନଙ୍କର ଯତ୍ନ ନିଆଯାଉଛି। ସେହିପରି ଅନ୍ୟ ରାଜ୍ୟରେ ଆମ ରାଜ୍ୟରୁ ତୀର୍ଥ କରିବାକୁ ଯାଇଥିବା ଲୋକ, ଛାତ୍ରୀଛାତ୍ର, ଚାକିରିଆ, ଶ୍ରମିକ ଏବଂ ରୋଗୀମାନେ ଫସି ରହିଛନ୍ତି। ସେମାନଙ୍କ ଅବସ୍ଥା ବିଷୟରେ ଜାଣି ବହୁତ ଦୁଃଖ ଲାଗୁଛି। ସମସ୍ତଙ୍କର ଉଦ୍ୟମ ସତ୍ତ୍ୱେ ସେମାନଙ୍କର ଜୀବନ ସ୍ବାଭାବିକ ହୋଇପାରିନାହିଁ। କଟକଣା ଉଠାଯିବା ପରେ କେନ୍ଦ୍ର ସରକାର ତଥା ଅନ୍ୟ ରାଜ୍ୟଗୁଡ଼ିକ ସହିତ ଆଲୋଚନା କରାଯିବ। ଆମ ଲୋକମାନେ ଯେପରି ସୁବିଧାରେ ଓଡ଼ିଶା ଫେରିବେ ସେନେଇ ବ୍ୟବସ୍ଥା କରାଯିବ। ଏଥିପାଇଁ ବୈଷୟିକ ଜ୍ଞାନକୌଶଳର ସୁବିଧା ନିଆଯିବ। କିନ୍ତୁ ସମସ୍ୟା ବହୁତ ବଡ଼। ତେଣୁ ଆମକୁ ଡିସେଣ୍ଟ୍ରାଲାଇଜ୍‌ଡ ଆପ୍ରୋଚ୍‌ (ବିକେନ୍ଦ୍ରୀକରଣ ଆଭିମୁଖ୍ୟ) ଗ୍ରହଣ କରିବାକୁ ପଡ଼ିବ। ଏଥିପାଇଁ ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ। ପଞ୍ଚାୟତ ଏବଂ ପୌରାଞ୍ଚଳକୁ ସାଥୀରେ ନେଇ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି।

Share