ରାଜ୍ୟବାସୀଙ୍କ ଆଶା ଅନୁଯାୟୀ ବଜେଟ: ନବୀନ

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ୨୦୧୯-୨୦ ବଜେଟ୍‌ ଉପସ୍ଥାପନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କ ଆଶା ଯାହା ଥିଲା, ତାହା ବଜେଟ୍‌ରେ ପ୍ରତିଫଳିତ ହୋଇଛି। ବଜେଟ୍‌ରେ କାଳିଆ ଯୋଜନାକୁ ବଢାଯିବା ସହ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଏଥିରେ ସାମିଲ କରାଯାଇଛି। ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ପୂର୍ବ ନିର୍ଦ୍ଧାରିତ ଅର୍ଥ ରାଶି ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା କରାଯାଇଛି। ଏହି ୨ଟି ଯାକ ପ୍ରତିଶ୍ରୁତି ବଜେଟ୍‌ରେ ପୂରଣ କରାଯାଇଛି। କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଯାହା ୭୫ ଲକ୍ଷ ଯୋଗ୍ୟ ଚାଷୀ ସହାୟତା ପାଇପାରିବେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ସହାୟତା ମିଳିବ ବୋଲି ନବୀନ କହିଛନ୍ତି। ଏହାଛଡା ଓଡିଆ ବିଶ୍ୱବିଦ୍ୟାଳୟ ଏବଂ ଫନୀ ପରବର୍ତ୍ତୀ ସମୟର ପୁନରୁଦ୍ଧାର ପାଇଁ ଅର୍ଥ ବରାଦ କରାଯାଇଥିବାରୁ ଖୁସି ଲାଗୁଛି। ଜାଗା ମିଶନ ପାଇଁ ୧୦୦ କୋଟି ଟଙ୍କା ବଜେଟ୍‌ରେ ରଖାଯାଇଛି, ଯାହାଦ୍ୱାରା ବସ୍ତି ବାସିନ୍ଦା ସଶକ୍ତ ହୋଇପାରିବେ। ମିଶନ ଶକ୍ତି ପାଇଁ ଘର ପ୍ରତି ପଞ୍ଚାୟତରେ କରାଯିବ। ଏଥିପାଇଁ ୩୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ମୋଟାମୋଟି ଭାବେ କୃଷକ, ମହିଳା ଏବଂ ଗରିବମାନଙ୍କ ବିକାଶ ପାଇଁ ଏହି ବଜେଟ୍‌। ରାଜ୍ୟ ଅର୍ଥନୀତି ଶେଷ ୬ ବର୍ଷ ହେଲା ଦେଶର ଅର୍ଥନୀତିଠାରୁ ଦ୍ରୁତ ଗତିରେ ବଢିବାରେ ଲାଗିଛି। ରାଜ୍ୟ ବିକାଶ ପାଇଁ ବଜେଟ୍‌ରେ ବିଶେଷ ଗୁରୁତ୍ୱ ଦିଆଯାଇଥିବାରୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ବଜେଟ୍‌ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ ବୋଲି ଆଶା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share