ରାଜ୍ୟରେ ଆଉ ୪ ବିମାନବନ୍ଦର ହେବ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଝାରସୁଗୁଡା ସମେତ ଜୟପୁର, ଉତ୍‌କେଲା ଏବଂ ରାଉରକେଲାରେ ବିମାନବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ୧୯ଟି ଏୟାର ଷ୍ଟ୍ରିପର ଉନ୍ନତୀକରଣ କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ମୂଳ ପ୍ରଶ୍ନରେ ଜୟପୁର ବିମାନବନ୍ଦର ଆଧୁନିକୀକରଣ ପାଇଁ ପ୍ରସ୍ତାବ ଅଛି କି? କେଉଁ ଘରୋଇ ସଂସ୍ଥା ଏହି ବିମାନ ବନ୍ଦରରୁ ଉଡାଣ ଓ ଅବତରଣ ପାଇଁ ଆବେଦନ କରିଛନ୍ତି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ଜୟପୁର ବିମାନ ବନ୍ଦର ଆଧୁନିକୀକରଣ କରାଯିବ। ଏହି ବିମାନବନ୍ଦରରୁ ପ୍ରତ୍ୟେକ ଦିନ ଉଡାଣ ପାଇଁ ଆରସିଏସ-ଉଡାନ ଯୋଜନାରେ ପ୍ରସ୍ତାବ ଅଛି। ଏହି ବିମାନବନ୍ଦର ଉଡାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ଏଠାରୁ ଉଡାଣ ପାଇଁ କେନ୍ଦ୍ରୀୟ ସ୍ତରରେ ନିଲାମ ଡକାଯାଇଛି। ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଏହା ସମ୍ପୂର୍ଣ୍ଣ ହେଲେ ଚୟନ ସଂସ୍ଥାକୁ ଉଡାଣ ପାଇଁ ଅନୁମତି ଦିଆଯିବ। ବିଜେଡି ସଭ୍ୟ ଲତିକା ପ୍ରଧାନ, ଦେବି ପ୍ରସାଦ ମିଶ୍ର ରଙ୍ଗେଇ ଲୁଣ୍ଡା ଏୟାର ଷ୍ଟ୍ରିପର ଉନ୍ନତୀକରଣ ପାଇଁ ଉଡାନ ଯୋଜନାରେ କି ପଦକ୍ଷେପ ନିଆଯାଇଛି। ରାଜ୍ୟର କେଉଁ ଏୟାରଷ୍ଟ୍ରିପର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ନିଷ୍ପତ୍ତି ହୋଇଛି? ମନ୍ତ୍ରୀ କହିଲେ କେନ୍ଦ୍ର ସରକାର ୪ଟି ଏୟାର ପୋର୍ଟର ଉନ୍ନତୀକରଣ ପାଇଁ ଦାୟିତ୍ୱ ନେଇଛନ୍ତି।

Share