ରାଜ୍ୟରେ ଆରମ୍ଭ ହେବ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’

ଭୁବନେଶ୍ୱର,୨୮।୯ (ବ୍ୟୁରୋ): ରାଜ୍ୟରେ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’ କାର୍ଯ୍ୟକ୍ରମ ପ୍ରଚଳନ କରିବା ପାଇଁ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇବିଏମ୍‌ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ରାଜ୍ୟର ୧୨୫ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ବିଷୟଗତ ଶିକ୍ଷାର ସମୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ବୁଝାମଣାପତ୍ର ହେବା ଦ୍ୱାରା ଆଇବିଏମ୍‌ ସଂସ୍ଥା ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ୁଥିବା ଅନୂ୍ୟନ ୨୦ହଜାର ଛାତ୍ରୀ ଓ ୧୦ହଜାର ଛାତ୍ରଙ୍କୁ ଗଣିତ, ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ ବିଷୟରେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ପ୍ରଦାନ କରିବ।
ସୂଚନାଯୋଗ୍ୟ, ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ବୃତ୍ତିଗତ ଶିକ୍ଷା ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ଲାଗି ପଥପ୍ରଦର୍ଶକର ଭୂମିକା ଗ୍ରହଣ କରିଥାଏ ଆଇବିଏମ୍‌ ଇଣ୍ଡିଆ। ତେବେ ବିଦ୍ୟାର୍ଥୀଙ୍କୁ ଡିଜିଟାଲ ସ୍ବାକ୍ଷର, କୋଡିଂ ଓ ବୈଷୟିକ ଦକ୍ଷତା କୌଶଳ ସଂକ୍ରାନ୍ତରେ ତାଲିମ ଯୋଗାଇ ଷ୍ଟିମ୍‌ ଶିକ୍ଷା ପ୍ରଣାଳୀ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ଓସେପା ସଭାଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଆଇବିଏମ୍‌ କର୍ପୋରେଟ୍‌ ସିଟିଜେନ୍‌ଶିପ୍‌ ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ରୁମି ମଲ୍ଲିକ ମିତ୍ର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ ଉପସ୍ଥିତ ଥିଲେ।

Share