Categories: ରାଜ୍ୟ

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନ ନୀତି: ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇବେ ବିଶେଷଜ୍ଞ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ଟେଲି ମେଡିସିନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟରେ ଟେଲି ମେଡିସିନି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। କଟକ ଏସ୍‌ସିବି ମେଡିକାଲ କଲେଜରେ ଟେଲି ମେଡିସିନର ନୋଡାଲ ସେଣ୍ଟର ଥିବାବେଳେ ନୂତନ ନୀତି କାର୍ଯ୍ୟକାରୀ ହେଲେ ଏହାକୁ ରାଜ୍ୟର ଅନ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ କରାଯାଇପାରିବ। ବୈଠକରେ ଓଡ଼ିଶା ଟେଲି ମେଡିସିନ ନେଟ୍‌ୱର୍କର ବର୍ତ୍ତମାନ ସ୍ଥିତି ସମେତ ଇ-ଆଇସିୟୁ ଏବଂ ଭାରତ ସଞ୍ଚାର ନିଗମର ଯୋଗାଯୋଗ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଟେଲି ମେଡିସିନର କାର୍ଯ୍ୟକାରିତା ଫଳରେ ୨୦୧୭ ଏବଂ ୨୦୧୮ରେ ରୋଗୀଙ୍କର ୪ କୋଟି ଟଙ୍କାରୁ ଅଧିକ ପକେଟ ଖର୍ଚ୍ଚ ବଞ୍ଚତ୍ୟାଇଥିବା ସୂଚନା ଦିଆଯାଇଛି।

ତେବେ ନୂତନ ନୀତି ନେଇ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଟେଲି ମେଡିସିନି ନେଟ୍‌ଓ୍ବର୍କକୁ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା, ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ୱେଲ୍‌ନେସ୍‌ ସେଣ୍ଟର ସହିତ ଯୋଡ଼ିଦିଆଯିବ। ଏହା ଫଳରେ ଗାଁ ଗହଳିରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ସିଧାସଳଖ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ପାଇପାରିବେ। ଏହା ବ୍ୟତୀତ ସମସ୍ତ ମେଡିକାଲ କଲେଜରେ ଇ-କ୍ଲାସ୍‌ ରୁମ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ପଡୁଥିବା ମାନବସମ୍ବଳ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଟେଲି ମେଡିସିନ କାର୍ଯ୍ୟକାରିତା ଲାଗି ଇଣ୍ଟରନେଟ୍‌ ଅତ୍ୟନ୍ତ ଜରୁରୀ ହୋଇଥିବା ଯୋଗୁ ନିରବଚ୍ଛିନ୍ନ ବେଗଗାମୀ ଇଣ୍ଟରନେଟ୍‌ ପାଇଁ ଅପ୍ଟିକାଲ ଫାଇବର ସଂଯୋଗ ଦେବାକୁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଓଡ଼ିଶା ଟେଲି ମେଡିସିନର ଅବୈତନିକ ପରାମର୍ଶଦାତା ଡା. ପ୍ରଫେସର ବି.ଏନ୍‌. ମହାନ୍ତି ଏବଂ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଚିକିତ୍ସା ସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଉନ୍ନତ ଯନ୍ତ୍ରପାତି ଏବଂ ବିଶେଷଜ୍ଞ ଚିକିତ୍ସକଙ୍କ ଦ୍ୱାରା ସେବା ଯୋଗାଇବା ଦିଗରେ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି।

Share