ରାଜ୍ୟରେ ଖାଲି ପଡ଼ିଛି ୬୦% ଇଞ୍ଜିନିୟରିଂ ସିଟ୍‌

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜ୍ୟରେ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି ଇଞ୍ଜିନିୟରିଂ କଲେଜ। ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ କମୁଛି। ଫଳରେ ରାଜ୍ୟରେ ୬୦%ରୁ ଅଧିକ ଇଞ୍ଜିିନିୟରିଂ ସିଟ୍‌ ଖାଲି ପଡ଼ିଛି। ୨୦୧୯-୨୦ ଶିକ୍ଷାବର୍ଷରେ ମାତ୍ର ୧୧,୭୪୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଚଳିତବର୍ଷ ମୋଟ ୩୧,୧୭୪ ସିଟ୍‌ରୁ ୧୯,୪୨୯ଟି ଖାଲି ପଡ଼ିଛି। ଇଞ୍ଜିନିୟରିଂ ପଢ଼ା ସରିବା ପରେ ଛାତ୍ରୀଛାତ୍ର ଚାକିରି ନ ପାଇ ବେକାର ରହୁଛନ୍ତି। ଏପରି କି ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯାଉ ନ ଥିବାରୁ ଇଞ୍ଜିନିୟରିଂ ଶିକ୍ଷାଠାରୁ ପିଲାମାନେ ଦୂରେଇ ଯାଉଛନ୍ତି। ଶନିବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୯୩ ଇଞ୍ଜିନିୟରିଂ କଲେଜ ଓ ୧୬୩ ଡିପ୍ଲୋମା କଲେଜ ରହିଛି। ଇତିମଧ୍ୟରେ ୩ ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତମ ପ୍ରଦର୍ଶନ କରୁ ନ ଥିବା ତଥା ରୁଗ୍‌ଣ ଅନୁଷ୍ଠାନକୁ ସରକାର କୌଣସି ସାହାଯ୍ୟ କରିବେ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Share