ରାଜ୍ୟରେ ଗବେଷଣା ସଂସ୍କୃତି ପ୍ରତିଷ୍ଠା କରିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବିଲି ସମାରୋହର ମଙ୍ଗଳବାର ଥିଲା ଚତୁର୍ଥ ଦିବସ। ଏହି ଅବସରରେ ଆଞ୍ଚଳିକ ଗବେଷଣା ହବ୍‌ ଆନୁକୂଲ୍ୟରେ ପରିଜା ପାଠାଗାରଠାରେ ଗବେଷଣାରତ ଛାତ୍ରୀଛାତ୍ରଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସମ୍ମିଳନୀକୁ ଉଦ୍‌ଘାଟନ କରି ଭାରତ ସରକାର ଉତ୍କଳ ବିଶ୍ୱବିଦ୍ୟାଳୟକୁ ଗବେଷଣାର ହବ୍‌ ଭାବେ ଘୋଷଣା କରିଛନ୍ତି ବୋଲି ସୂଚନା ଦେଇଥିଲେ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ତଥା ଗବେଷଣା ଅନୁଷ୍ଠାନଗୁଡ଼ିକ ସହିତ ସହଭାଗିତାରେ ରାଜ୍ୟରେ ଗବେଷଣା ସଂସ୍କୃତି ପ୍ରତିଷ୍ଠା କରିବାକୁ ବିଶ୍ୱବିଦ୍ୟାଳୟ ସଂକଳ୍ପବଦ୍ଧ ବୋଲି କୁଳପତି ଦର୍ଶାଇଥିଲେ। ଗବେଷକଙ୍କ ମଧ୍ୟରେ ବୌଦ୍ଧିକ ସ୍ବାଧୀନତା ଓ ବୌଦ୍ଧିକ ନିରାପତ୍ତାର ବିକାଶ ତଥା ଭାବ ବିନିମୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ଉଦ୍‌ଘାଟନୀ ସଭାରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଆଜିର ସମ୍ମିଳନୀରେ ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ମ୍ୟାନେଜମେଣ୍ଟ, ସାମାଜିକ ବିଜ୍ଞାନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠ ଗବେଷଣାକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଥିଲେ। ବିଶ୍ୱବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକ ଏଭଳି ଏକ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟରେ ସୀମିତ ନ ରଖି ରାଜ୍ୟର ଅନ୍ୟ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବିଦ୍ୟାଳୟରେ ହେଉଥିବା ଗବେଷଣାର ମୂଲ୍ୟ ସମାଜର ହିତ ସାଧନରେ କିପରି ଲାଭଦାୟକ ହେବ ସେନେଇ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ଗବେଷଣାଲବ୍ଧ ଜ୍ଞାନକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ସାମ୍ପ୍ରତିକ ସମସ୍ୟା ସମାଧାନ ଓ ଉନ୍ନତି ସମ୍ବନ୍ଧୀୟ ଗବେଷଣା ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ତଥା ଆଇଏମ୍‌ଏମ୍‌ଟି, ଆଇଏଲ୍‌ଏସ୍‌, ଆର୍‌ପିଆର୍‌ସି, ଆଇସିଏଆର୍‌ ଭଳି ଗବେଷଣା ପ୍ରତିଷ୍ଠାନରୁ ୧୦୦ ବିଦ୍ୟାର୍ଥୀ ଏଥିରେ ଭାଗ ନେଇଥିଲେ ବୋଲି ଆଞ୍ଚଳିକ ଗବେଷଣା ହବ୍‌ର ଆବାହକ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ସୂଚନା ଦେଇଛନ୍ତି। ଉକ୍ତ ପ୍ରଳକ୍ପ ମଧ୍ୟରୁ ବିଚାରମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ଓ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯିବ। ଆଞ୍ଚଳିକ ଗବେଷଣା ହବ୍‌ର ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share