ରାଜ୍ୟରେ ‘ଗାର୍ଡ ଅଫ୍‌ ଅନର୍‌’ ବ୍ୟବସ୍ଥା ଉଚ୍ଛେଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟରେ ‘ଗାର୍ଡ ଅଫ୍‌ ଅନର୍‌’ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ‘ଗାର୍ଡ ଅଫ୍‌ ଅନର୍‌’/ହାଉସ୍‌ ଗାର୍ଡକୁ ଉଚ୍ଛେଦ କରାଯାଇଛି। କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରିତ ମୁଖ୍ୟ ଅତିଥିଙ୍କୁ ‘ଗାର୍ଡ ଅଫ୍‌ ଅନର୍‌’ ଦିଆଯିବ। ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି କାର୍ଯ୍ୟକାରୀ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ସରକାରୀ ଗାଡ଼ିରୁ ପ୍ରଥମେ ନାଲିବତୀ ହଟାଇ ଉଦାହରଣ ସୃଷ୍ଟି କରିଥିଲେ।