ରାଜ୍ୟରେ ଜଙ୍ଗଲ ପରିମାଣ ୫୧, ୩୪୫ ବର୍ଗ କି.ମି.

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଓଡ଼ିଶାରେ ସମ୍ପୂର୍ଣ୍ଣ ଜଙ୍ଗଲର ପରିସୀମା ୫୧ ହଜାର ୩୪୫ ବର୍ଗ କି.ମି. ରହିଛି। ୨୦୧୪ ମସିହା ପୂର୍ବରୁ ଏହା ୫୦ ହଜାର ୩୪୭ ବର୍ଗ କି.ମି. ରହିଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହା କହିଛନ୍ତି। ଭାଜପା ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅଣତାରକା ପ୍ରଶ୍ନ ନଂ.୧୯୦୨ର ଉତ୍ତର ଦେଇ ସେ ଏହା କହିଛନ୍ତି।
ଡେରାଡୁନସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଉପଗ୍ରହ ଜରିଆରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ସର୍ବେକ୍ଷଣ କରାଯାଇଛି। ପ୍ରତି ଦୁଇ ବର୍ଷରେ ଏହିପରି ସର୍ବେକ୍ଷଣ କରାଯାଇ ଜଙ୍ଗଲର ପରିମାଣ ପ୍ରକାଶ କରାଯାଇଥାଏ। ବିଭିନ୍ନ ଯୋଜନାରେ ୨୦୧୪-୧୫ରୁ ଚଳିତ ଅକ୍ଟୋବର ଶେଷ ସୁଦ୍ଧା ୨୪୯୮.୭୦ ହେକ୍ଟରରେ ଚାରା ରୋପଣ କରାଯାଇଥିବା ମନ୍ତ୍ରୀ ଉତ୍ତର ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗରେ ଅଧିକାଂଶ ପଦବୀ ଖାଲି ପଡିଛି। ମଞ୍ଜୁରୀପ୍ରାପ୍ତ ୫୩୭୩ ବନରକ୍ଷୀ ପଦବୀ ମଧ୍ୟରୁ ୧୮୨୭ଟି ଖାଲି ପଡିଛି। ସେହିପରି ୬୭୪ ବନପାଳ, ୪୮ ଉପବନାଞ୍ଚଳ ଅଧିକାରୀ, ୨୧୯ ବନାଞ୍ଚଳ ଅଧିକାରୀ ଏବଂ ୧୭୬ ସହକାରୀ ବନ ସଂରକ୍ଷକ ପଦବୀ ଖାଲି ପଡିଛି। ଏହିପରି ଭାବେ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ୨୯୪୪ ପଦବୀ ଖାଲି ପଡିଛି। ଅଣତାରକା ପ୍ରଶ୍ନ ନଂ-୧୯୩୨ର ଉତ୍ତର ରଖି ମନ୍ତ୍ରୀ ଆରୁଖ ଗୃହରେ ଏହି ତଥ୍ୟ ଦେଇଛନ୍ତି।

Share