ରାଜ୍ୟରେ ତିନିମାସରେ ୯୧୨.୪ମିମି ବର୍ଷା: ସ୍ବାଭାବିକଠାରୁ ୧.୨% କମ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିଛି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଆଉ କିଛି ସ୍ଥାନରେ ବର୍ଷାର ନଁା ଗନ୍ଧ ନାହିଁ। ଏବେ ବି ରାଜ୍ୟରେ ୧.୨% କମ୍‌ ବର୍ଷା ହୋଇଛି। ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ୯୧୨.୪ମିମି ବର୍ଷା ହେବା କଥା। କିନ୍ତୁ ୯୦୧ମିମି ବର୍ଷା ହୋଇଛି। ଏହି ତିନି ମାସରେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୫ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅର୍ଥାତ୍‌ ୧୯%ରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କଟକ, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, ଯାଜପୁର, ଗଜପତି, କେନ୍ଦ୍ରାପଡ଼ା, ଭଦ୍ରକ, ନୂଆପଡ଼ା, ଜଗତ୍‌ସିଂହପୁର, ସମ୍ବଲପୁର, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୨୧ଜିଲାରେ ସ୍ବାଭାବିକ ବର୍ଷା (+୧୯%ରୁ – ୧୯% ମଧ୍ୟରେ)ହୋଇଛି। ହାରାହାରି ବୃଷ୍ଟିପାତକୁ ତୁଳନା କଲେ କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଓ ଦେବଗଡ଼ ଜିଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ଏହି ତିନି ମାସରେ ମାଲକାନଗିରିରେ ସର୍ବାଧିକ ୧୫୪୮.୭ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲାରେ ସର୍ବନିମ୍ନ ୬୧୬.୬ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରିରେ ୩୪.୬% ଅଧିକ ବର୍ଷା ହୋଇଥିବା ବେଳେ ଗଜପତିରେ ୯.୮% କମ୍‌ ବର୍ଷା ହୋଇଛି।

ବ୍ଲକ୍‌ ସ୍ତରରେ ଦେଖିବାକୁ ଗଲେ ଏହି ତିନି ମାସରେ ୬୬ ବ୍ଲକ୍‌ରେ ଅଧିକ ବର୍ଷା ହୋଇଥିବା ବେଳେ ୧୬୯ ବ୍ଲକ୍‌ରେ ସ୍ବାଭାବିକ ଓ ୬୮ବ୍ଲକ୍‌ରେ କମ୍‌ ବର୍ଷା ହୋଇଛି। ୧୧ଟି ବ୍ଲକ୍‌ରେ ଅତ୍ୟଧିକ କମ୍‌ ବର୍ଷା ହୋଇଛି। ବାଲେଶ୍ୱର ଜିଲାର ବାଲେଶ୍ୱର ବ୍ଲକ୍‌ରେ -୪୨.୦% ଓ ନୀଳଗିରିରେ -୪୨.୬%, ଦେବଗଡ଼ ଜିଲାର ରିଆମାଳ ବ୍ଲକ୍‌ରେ -୪୧.୮%, କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ୍‌ରେ -୩୯.୯%, ଚମ୍ପୁଆରେ -୪୩.୬%, ଝୁମ୍ପୁରାରେ -୪୪.୫%, ଯୋଡ଼ାରେ -୪୭.୯%, କେରାପୁଟ ଜିଲାର ନାରାୟଣପାଟଣା ବ୍ଲକ୍‌ରେ -୪୪.୫, ସମ୍ବଲପୁର ଜିଲାର ନାକଟିଦେଉଳ ବ୍ଲକ୍‌ରେ -୪୭.୭%, ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ବ୍ଲକ୍‌ରେ -୪୧.୦% ଓ ବଣାଇ ବ୍ଲକ୍‌ରେ -୪୪.୮% କମ୍‌ ବର୍ଷା ହୋଇଛି। ସେହିପରି ତିନି ମାସ ମଧ୍ୟରେ ହାରାହାରି ୪୦.୯ ବର୍ଷା ଦିନ ହେବା କଥା କିନ୍ତୁ ମୋଟ ୩୫.୭ ବର୍ଷା ଦିନ ହୋଇଛି। ଜୁନ୍‌ରେ ୭.୪, ଜୁଲାଇରେ ୧୩.୭ ଓ ଅଗଷ୍ଟରେ ୧୪.୬ ବର୍ଷାଦିନ ହୋଇଥିଲା।

ଅନ୍ୟପଟେ ଅଗଷ୍ଟ ମାସରେ କିନ୍ତୁ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଅଗଷ୍ଟରେ ୪୪୪.୩ ମିଲିମିଟର ବର୍ଷା ହୋଇଛି। ଅଗଷ୍ଟରେ ହାରାହାରି ୩୫୬ମିମି ବର୍ଷା ହେବା କଥା, କିନ୍ତୁ ଏଥର ୨୪.୫% ଅଧିକ ବର୍ଷା ହୋଇଛି। ମାଲକାନଗିରି ଜିଲାରେ ସର୍ବାଧିକ ୭୬୩.୩ମିମି ବର୍ଷା ହୋଇଛି। ଏଠାରେ ୬୧.୫% ଅଧିକ ବର୍ଷା ହୋଇଛି। ସେହିପରି ପୁରୀ ଜିଲାରେ ସର୍ବନିମ୍ନ ୨୮୭.୬ମିମି ବର୍ଷା ହୋଇଛି। ଏଠାରେ ୩.୪% କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି।

Share