ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ। ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେଉଁ ଜିଲାରେ କେତେ ସ୍କୁଲ ବନ୍ଦ ହେବ, ସେ ନେଇ ବୁଧବାର ସୂଚନା ଦିଆଯାଇଛି। ଏହି କ୍ରମରେ ରାୟଗଡ଼ା ଜିଲାରେ ସର୍ବାଧିକ ୧୩୯ ସ୍କୁଲ ବନ୍ଦ ହେବ। ଏହାପରେ କୋରାପୁଟରେ ୯୩, ଅନୁଗୋଳରେ ୬୪, କନ୍ଧମାଳ ଓ ଗଞ୍ଜାମରେ ୬୦, ମୟୂରଭଞ୍ଜରେ ୫୩, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୪୪ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ। ସେହିପରି କଳାହାଣ୍ଡିରେ ୩୯, ସମ୍ବଲପୁରରେ ୩୪, ଗଜପତିରେ ୩୩, ଯାଜପୁରରେ ୩୨, କଟକ ଓ କେନ୍ଦ୍ରାପଡ଼ାରେ ୨୭ ସ୍କୁଲରେ ତାଲା ପଡ଼ିବ। ଏହାସହିତ ସୋନପୁରରେ ୨୪, ବରଗଡ଼, ଜଗତ୍‌ସିଂହପୁର ଓ ଢେଙ୍କାନାଳରେ ୧୯, ନୂଆପଡ଼ା ଓ ବୌଦ୍ଧରେ ୧୮, ମାଲକାନଗିରିରେ ୧୭, ପୁରୀରେ ୧୬, ଦେବଗଡ଼ରେ ୧୨ ସ୍କୁଲ ବନ୍ଦ ହେବ। ସ୍କୁଲଗୁଡ଼ିକ ବନ୍ଦ ହେଉଥିବାରୁ ଛାତ୍ରୀଛାତ୍ରଙ୍କୁ ଗୋଟିଏ କିଲୋମିଟର ଭିତରେ ଥିବା ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ଯୋଗୁ ଛାତ୍ରୀଛାତ୍ରଙ୍କୁ ଗସ୍ତ ଖର୍ଚ୍ଚ ସରକାର ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଉପସ୍ଥାନ ଅନୁସାରେ ଗସ୍ତ ଖର୍ଚ୍ଚ ମିଳିବ। ୩୦ ପ୍ରତିଶତରୁ କମ୍‌ ଉପସ୍ଥାନ ଥିବା ଛାତ୍ରୀଛାତ୍ରଙ୍କୁ କୌଣସି ଗସ୍ତ ଖର୍ଚ୍ଚ ମିଳିବ ନାହିଁ।

Share