ରାଜ୍ୟରେ ବଳାତ୍କାର ମାମଲା ବଢିଚାଲିଛି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀରେ ଘଟିଥିବା ଲଜ୍ଜାଜନକ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଏବଂ ଭାଜପା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନବୀନ ନିବାସ ଘେରାଉ କରିଥିବାବେଳେ ଭାଜପା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ଦାବି କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ରାଜ୍ୟରେ ଦିନକୁ ଦିନ ନାରୀ ବଳାତ୍କାର ଏବଂ ନିର୍ଯାତନା ମାମଲା ବଢିଚାଲିଛି। ଯାଜପୁରର ସ୍ମିତାରାଣୀ, ପାଇକମାଳ ଏବଂ ପିପିଲି ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ପୁରୀ ବଳାତ୍କାର ମାମଲାରେ ଖୋଦ ପୋଲିସ ସମ୍ପୃକ୍ତ ଥିବାରୁ ଏହାର ତଦନ୍ତ ଠିକ୍‌ ଭାବରେ ହେବ ନାହିଁ। ତେଣୁ କ୍ରାଇମ୍‌ବ୍ରାଞ୍ଚ ନୁହେଁ, ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହ ବିଭାଗରେ ଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦିଅନ୍ତୁ। ସୂଚନାଯୋଗ୍ୟ, ସୋମବାର ରାତିରେ ଜଣେ ନାବାଳିକା(୧୭)ଙ୍କୁ ପୋଲିସ କ୍ୱାର୍ଟର୍ସରେ ଗଣବଳାତ୍କାର କରାଯାଇଥିବା କୁମ୍ଭାରପଡ଼ା ଥାନାରେ ନିଜେ ପୀଡ଼ିତା ଏହି ଅଭିଯୋଗ କରିଥିଲେ। ନିଜକୁ ପୋଲିସ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କ ସମେତ ୪ଜଣ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗଣବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ପୁରୀ ଏସପି ଉମାଶଙ୍କର ଦାଶ ତୁରନ୍ତ କୁମ୍ଭାରପଡ଼ା ଥାନାରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯୁବତୀଙ୍କ ବୟାନକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ତଥା ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ(ନଂ. ୪୫୦)ଙ୍କୁ ଗିରଫ କରିଛି। ଅନ୍ୟ ୩ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।

Share