ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ମନା

ରୂପ୍‌ସା, ୭।୧୧(ଡି.ଏନ.ଏ.)-ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଖୁବ୍‌ଶୀଘ୍ର ଏହା ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟଦେଇ ଏହି ସାମୁଦ୍ରିକ ଝଡ଼ ‘ବୁଲବୁଲ’ ବାଂଲାଦେଶ ଆଡ଼କୁ ଗତି କରିବ ବୋଲି ଆକଳନ କରାଯାଇଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ୪ଦିନ ପାଇଁ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।
ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ନଳିନୀକାନ୍ତ ଦାସ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କ ସମେତ ସମସ୍ତ ମତ୍ସ୍ୟଜୀବୀଙ୍କୁ ନଭେମ୍ବର ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ପାଇଁ ସମୁଦ୍ରକୁ ଯିବା ପାଇଁ ବାରଣ କରିଛନ୍ତି। ଏନେଇ ୩ଦିନ ବ୍ୟାପୀ ରାଜ୍ୟ ମତ୍ସ୍ୟ ବିଭାଗ ତରଫରୁ ସେ ସମସ୍ତଙ୍କୁ ସତର୍କ ସୂଚନା ଦେଇଛନ୍ତି। ଏଥିସହ ନିଜ ବୋଟ୍‌, ଟ୍ରଲର, ଜାଲ ତଥା ଅନ୍ୟ ମାଛଧରା ସରଞ୍ଜାମ ସବୁକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନା ସଂଖ୍ୟା ୧୪୦/୭ା୧୧ା୧୯ରିଖ ଅନୁଯାୟୀ ଅଧିକାରୀ ଦାସ ମାଛଧରା ଜେଟି ଅଞ୍ଚଳରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ ଓ ଜିଲା ପ୍ରଶାସନଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ ସଚେତନ କରାଇଛନ୍ତି। ସମୁଦ୍ର ମଧ୍ୟରେ ଥିବା ଭୁଟଭୁଟି, ବୋଟ୍‌, ଲଞ୍ଚ, ଟ୍ରଲର ସବୁକୁ ତୁରନ୍ତ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।