ରାଜ୍ୟରେ ବ୍ୟାପକ ହେବ ପାଠାଗାର ଆନ୍ଦୋଳନ ଖୁବ୍‌ଶୀଘ୍ର ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ବିଭିନ୍ନ ବର୍ଗରେ ପ୍ରତିନିଧିତ୍ୱ କରିବା ଭଳି ସଦସ୍ୟମାନଙ୍କୁ ଏଥିରେ ରଖାଯିବ ଏବଂ ସେମାନଙ୍କ ନେତୃତ୍ୱ ନେବାକୁ ଜଣେ ଅଧ୍ୟକ୍ଷ ରହିବେ। ଏହି ପରିଷଦ ସାରା ରାଜ୍ୟରେ ରହିଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର ଉନ୍ନତୀକରଣ କ୍ଷେତ୍ରରେ କାର୍ଯ୍ୟ କରିବ। ଏହାସହ ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ସେବା ଯୋଗାଣକୁ ସଂପ୍ରସାରିତ କରିବା ପାଇଁ ପରାମର୍ଶ ଦେବ ବୋଲି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ସୋମବାର ସନ୍ଧ୍ୟାରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାସ୍‌ (ଓସା) ସଂଗଠନର ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ ପାଣିଗ୍ରାହୀ ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବା ନେଇ ସୂଚନା ଦେଇଥିଲେ। ଏହାସହ ଖୁବ୍‌ଶୀଘ୍ର ‘ଓଡ଼ିଶା ପବ୍ଲିକ୍‌ ଲାଇବ୍ରେରୀ ଫଣ୍ଡ’ ବା ‘ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି’ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ‘ଓସା’ ପ୍ରତିନିଧିମଣ୍ଡଳୀଙ୍କୁ ଆଲୋଚନା ବେଳେ କହିଥିଲେ। ଏହି ପାଣ୍ଠି ସୃଷ୍ଟି ହେବା ପରେ ପାଠାଗାରଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ପୁସ୍ତକ କ୍ରୟ ଇତ୍ୟାଦି ପାଇଁ ବିଭିନ୍ନ ସୂତ୍ରରୁ ସହାୟତା ଏବଂ ଅନୁଦାନ ସଂଗ୍ରହ କରାଯାଇପାରିବ।
ଏହାବ୍ୟତୀତ ପ୍ରତି ଜିଲାରେ ଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର ଉନ୍ନତୀକରଣ ସାଙ୍ଗକୁ ସେବାର ମାନବୃଦ୍ଧି ନିମନ୍ତେ ଜିଲାସ୍ତରୀୟ ପାଠାଗାର କମିଟି ଗଠନ କରାଯିବ। ରାଜ୍ୟରେ ଏବେ ୧୭ ଜିଲାରେ ସଂସ୍କୃତି ବିଭାଗର ପାଠାଗାର ରହିଥିବାବେଳେ ବଳକା ଆଉ ୧୩ ଜିଲାରେ ପାଠାଗାର ପ୍ରତିଷ୍ଠା ହେବ। ଜିଲାରେ ରହିଥିବା ସମସ୍ତ ସର୍ବସାଧାରଣ ପାଠାଗାରଗୁଡ଼ିକ ମଧ୍ୟରେ ସମନ୍ବୟ ସ୍ଥାପନ ସାଙ୍ଗକୁ ଏଗୁଡ଼ିକର ଅଭିବୃଦ୍ଧି ନିମନ୍ତେ ଜିଲାସ୍ତରୀୟ କମିଟିଗୁଡ଼ିକ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସର୍ବସାଧାରଣ ପାଠାଗାର ଯୋଜନାକୁ ‘୫-ଟି’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏଥିରେ ସ୍ବଚ୍ଛତା ସହିତ ପରିଚାଳନା ବ୍ୟବସ୍ଥାରେ ଅଂଶୀଦାରମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତିକୁ ସୁନିଶ୍ଚିତ କରାଯାଇଛି। ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ‘ଓସା’ର ସଭାପତି କୁକୁ ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତା ତଥା ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

Share