ରାଜ୍ୟରେ ଭାଜପା-ବିଜେଡି ସରକାର ଚାଲିଛି: ତାରା

ଭୁବନେଶ୍ୱର,୩୧।୭(ବ୍ୟୁରୋ): କେନ୍ଦ୍ର ସରକାର ମଙ୍ଗଳବାର ପାର୍ଲାମେଣ୍ଟରେ ‘ତିନି ତଲାକ୍‌ ବିଲ୍‌’ ପାସ୍‌ କରିଛନ୍ତି। ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ବିଜେଡି ହୁଇପ୍‌ ଜାରି କରିଥିଲା। ଏଠାରେ ଭାଜପା-ବିଜେଡି ସରକାର ଚାଲିଛି ନା କ’ଣ ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ପ୍ରତ୍ୟେକ ବିଲ୍‌କୁ ସମର୍ଥନ କରିବା ସହିତ ରାଜ୍ୟ ସଭା ସଦସ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବିଜେଡି ଭାଜପାକୁ ସମର୍ଥନ କରୁଛି। ନିର୍ବାଚନ ପୂର୍ବରୁ ପ୍ରତି କ୍ଷେତ୍ରରେ ଉଭୟ ଦଳ ପରସ୍ପରକୁ ସମାଲୋଚନା କରୁଥିଲେ। ମାତ୍ର ଏବେ ପରସ୍ପର କୋଳାକୋଳି ହେଉଛନ୍ତି। ବିଜେଡିର ଏଭଳି ଡବଲ ଷ୍ଟାଣ୍ଡାର୍ଡ ନୀତି କାହିଁକି ସେନେଇ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରନ୍ତୁ ବୋଲି ବୁଧବାର ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ତାରାଙ୍କ ଏଭଳି ଆକ୍ରମଣାତ୍ମକ ଭଙ୍ଗି ଦେଖି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ କହିଲେ ଯେ, ବିଜେଡି ସବୁବେଳେ ସମଦୂରତା ରଖିଆସିଛି। ଜନହିତକର ବିଲ୍‌ରେ ଆମେ ସମର୍ଥନ ଦେବାରେ କୌଣସି ଅସୁବିଧା ନାହିଁ। ୨୦ ବର୍ଷ ହେବ ମତଦାତା ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ତାରାଙ୍କୁ ଇଙ୍ଗିତ କରି କହିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଉଛନ୍ତି। ସେହି ଦୃଷ୍ଟିରୁ ତିନି ତଲାକ୍‌ ବିଲ୍‌କୁ ପାର୍ଲ୍ୟାମେଣ୍ଟରେ ସମର୍ଥନ ଦିଆଯାଇଛି। ଏହାକୁ ରାଜନୀତି ସହ ଯୋଡ଼ିବା କଥା ନୁହେଁ। ବିଜେଡି ସବୁବେଳେ ଇସ୍ୟୁ ବେସ୍‌ଡ ସମର୍ଥନ ଦେଇଥାଏ।

Share