ରାଜ୍ୟରେ ମରୁଡ଼ି ଆଶଙ୍କା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ଗତ ୨ ସପ୍ତାହ ହେବ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଧାନବିଲ ଫାଟି ଆଁ କଲାଣି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଚାଷ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି କୃଷି ବିଶେଷଜ୍ଞମାନେ ଆକଳନ କଲେଣି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ୨୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ ପହିଲାରୁ ଜୁଲାଇ ୧୭ ତାରିଖ ମଧ୍ୟରେ ସ୍ବାଭାବିକ ଭାବେ ୩୯୩.୩ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ମାତ୍ର ୨୯୦.୧ ମିଲିମିଟର। ୫ ଜିଲାରେ ୪୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ବେଳେ ଅନ୍ୟ ଜିଲାଗୁଡିକରେ ମଧ୍ୟ ପରିସ୍ଥିତି ଅସମ୍ଭାଳ ହେଲାଣି। ବଲାଙ୍ଗୀର ଜିଲାରେ ୪୧ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୪୭, ଗଜପତିରେ ୬୦, କନ୍ଧମାଳ ୪୩ ଏବଂ ରାୟଗଡାରେ ୪୪ ପ୍ରତିଶତ କମ୍‌ ବର୍ଷା ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

Share