Categories: ବାଣିଜ୍ୟ

ରାଜ୍ୟରେ ରାସାୟନିକ ଶିଳ୍ପ ପାର୍କ ବିକାଶ ସମ୍ଭବ:ନାଲ୍‌କୋ ସିଏମ୍‌ଡି

ଭୁବନେଶ୍ୱର,୧୫-୭: ଇନଷ୍ଟିଚ୍ୟୁଟ ଅଫ୍‌ କେମିକାଲ ଟେକ୍ନୋଲୋଜି(ଆଇସିଟି) ଭୁବନେଶ୍ୱର କ୍ୟାମ୍ପସ ଦ୍ୱାରା ପ୍ରେରିତ ରାସାୟନିକ ଶିଳ୍ପ କ୍ଲଷ୍ଟର ରାଜ୍ୟର ଶିଳ୍ପାୟନକୁ ଇନ୍ଧନ ଯୋଗାଣ ଦିଗରେ କାର୍ଯ୍ୟ କରିବ। ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଶନିବାର ଏହା କହିଛନ୍ତି। ଆଇସିଟି ଭୁବନେଶ୍ୱର କ୍ୟାମ୍ପସରେ ପ୍ରକ୍ରିୟାକରଣ ଇଞ୍ଜିନିୟରିଂରେ ଏକଜିକ୍ୟୁଟିଭ ଏମ୍‌ଟେକ୍‌ ପ୍ରୋଗ୍ରାମର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଡ.ଚାନ୍ଦ ଶିଳ୍ପ କାର୍ଯ୍ୟନିର୍ବାହୀଙ୍କ ପ୍ରଥମ ବ୍ୟାଚ୍‌କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଉଦ୍ୟୋଗ ଭିତ୍ତିକ ନିଯୁକ୍ତି ଲାଗି ଆଗଭର ହେବାକୁ ଏଥିରେ ଚାନ୍ଦ ଗୁରୁତ୍ୱାରୋପ କରିଛନ୍ତି।
ଚାନ୍ଦ କହିଛନ୍ତି, ସାରା ଦେଶରେ ଏଭଳି ପାଠ୍ୟକ୍ରମ ପ୍ରଥମଥର ଲାଗି ଆରମ୍ଭ ହୋଇଚି। ରାସାୟନିକ ଶିଳ୍ପ କ୍ଲଷ୍ଟର ସ୍ଥାପନକୁ ଆଇସିଟି ଭୁବନେଶ୍ୱର ପ୍ରୋତ୍ସାହନ କରୁଛି। ଏହା ରାଜ୍ୟର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ବିଶେଷ ଭାବେ ସହାୟକ ହୋଇ ପାରିବ। ସେହିଭଳି ରାଜ୍ୟରେ ରାସାୟନିକ ଶିଳ୍ପ ପାର୍କର ବିକାଶ ସମ୍ଭବ ବୋଲି ଚାନ୍ଦ କାର୍ଯ୍ୟକ୍ରମରେ ମତ ରଖିଛନ୍ତି।
ଉଦ୍ୟମଶୀଳତା ଅଭିଯାନ ଉପରେ ଏଥିରେ ଆଇସିଟି କୁଳପତି ପ୍ରଫେସର ଜିଡି ଯାଦବ ଗୁରୁତ୍ୱାରୋପ କରିଥିଲେ। ଆଇଆଇଟି ଖଡଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଆଇସିଟି ଆଇଓସି ଭୁବନେଶ୍ୱର ନିର୍ଦ୍ଦେଶକ ବି.ଏନ୍‌. ଥୋରାଟ, ଆଇଓସିର ଏଚ୍‌ଆର୍‌ ନିର୍ଦ୍ଦେଶକ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share