ରାଜ୍ୟରେ ଲଗାଣ ବର୍ଷା: ଆଉ ୩୬ ଘଣ୍ଟା ବର୍ଷିବ, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ମେଘୁଆ ପାଗ ସହିତ ଝିପି ଝିପି ବର୍ଷା ଲାଗିରହିଛି। କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ନୟାଗଡ଼ ଆଦି ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡିକରେ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ଝଡ଼ ପବନ ବହିତ ବୋଲି ସତର୍କ କରାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ବର୍ଷା ଲାଗିରହିବ। ଉପକୂଳର୍ତ୍ତୀ ଜିଲାଗୁଡିକର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଜିଲାଗୁଡିକରେ ପାହାନ୍ତାରୁ ଝିପିଝିପି ବର୍ଷା ସାଙ୍ଗକୁ କୋହୋଲା ପବନ ଆରମ୍ଭ ହୋଇଛି। ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ରହିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ରାଜ୍ୟ ଆପତ୍ତକାଳିନ ସେଣ୍ଟରକୁ ଜଣାଇବା ପାଇଁ କୁହାଯାଇଛି। ବର୍ଷା ଯୋଗୁ ମଣ୍ଡିରେ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି। ଏଥିସହିତ ଏହି ବର୍ଷା ଯୋଗୁ ପନିପରିବା ଓ ରବୀଜାତୀୟ ଫସଲ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି।

Share