ରାଜ୍ୟରେ ଲାଗୁହେବ ‘ଏକ ଦେଶ, ଏକ ରାଶନ କାର୍ଡ’

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ଯେକୌଣସି ସ୍ଥାନରେ ଖାଉଟିମାନେ ଶସ୍ତାରେ ରାଶନ ପାଇ ପାରିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ‘ଏକ ଦେଶ, ଏକ ରାଶନ କାର୍ଡ’ ଯୋଜନା। ଧାର୍ଯ୍ୟ ସମୟ ମଧ୍ୟରେ ଏହି ଯୋଜନାରେ ଓଡ଼ିଶା ଭଳି କେତେକ ରାଜ୍ୟ ସାମିଲ ହୋଇ ନ ଥିଲେ। କେନ୍ଦ୍ର ସରକାର ସାରା ଦେଶରେ ଏହି ଯୋଜନା ଲାଗୁ କରିବା ପାଇଁ ଶନିବାର ଏକ ବର୍ଷ ଅର୍ଥାତ୍‌ ୩୦ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ସମୟ ବଢ଼ାଇଥିଲେ। ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ଯାଇ ଓଡ଼ିଶାରେ ‘ଏକ ଦେଶ, ଏକ ରାଶନ କାର୍ଡ’ ଯୋଜନା ଲାଗୁ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରବିବାର କହିଛନ୍ତି।
ମନ୍ତ୍ରୀ ସ୍ବାଇଁ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ କୌଣସି ଗଠନ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ନାହିଁ। ହେଲେ ସମସ୍ତ ଯୋଜନାରେ ରାଜ୍ୟର ସ୍ବାର୍ଥକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନେ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ସହାୟତା ପାଇପାରିବେ, ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।
ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଜଣେ ହିତାଧିକାରୀ ଖାଦ୍ୟ ପାଇବାକୁ ହକ୍‌ଦାର। ଯଦି ଏହା ହେଉନାହିଁ, ତେବେ ସେହି ଅନୁପାତରେ ରାଜ୍ୟ ସରକାର ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ନିୟମ ରହିଛି। ଯଦି ଓଡ଼ିଶାର ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ ଯାଆନ୍ତି ତାହାହେଲେ ସେଠାରେ ନୂଆ ରାଶନ କାର୍ଡ ଆବେଦନ କରିବା ଭଳି ସମସ୍ୟାରୁ ‘ଏକ ଦେଶ, ଏକ ରାଶନ କାର୍ଡ’ ଯୋଜନା ମୁକ୍ତି ଦେବ। ଗ୍ୟାସ ସଂଯୋଗୀକରଣ କ୍ଷେତ୍ରରେ ଉପଭୋକ୍ତାକୁ ଯେଭଳି ନିଜର ଡିଲର ପରିବର୍ତ୍ତନ କରିବାକୁ ପଡିଥାଏ ରାଶନ କାର୍ଡରେ ମଧ୍ୟ ସେହିଭଳି ବ୍ୟବସ୍ଥା ରହିବ ବୋଲି ହରିଚନ୍ଦନ କହିଛନ୍ତି।
କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ରାମଚନ୍ଦ୍ର କହିଛନ୍ତି ଯେ, କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାର ଲୋକଙ୍କୁ ଅତୀତରେ ଠକିଥିବାର ବହୁ ଉଦାହରଣ ରହିଛି। ବାହାର ରାଜ୍ୟରେ କାମ କରୁଥିବା ବହୁତ ଓଡ଼ିଆ ଏବେସୁଦ୍ଧା ରାଶନ କାର୍ଡ ପାଇନାହାନ୍ତି।

Share