ରାଜ୍ୟରେ ଶିଳ୍ପ ବନ୍ଦର ପ୍ରଭାବ: ୮ବର୍ଷରେ ୯୩୯୦ଜଣ ଚାକିରି ହରାଇଛନ୍ତି

ଭୁବନେଶ୍ୱର,୬ା୮(ବ୍ୟୁରୋ): ରାଜ୍ୟର ଅନୂ୍ୟନ ୧୭ ଶିଳ୍ପ ୨୦୧୦ରୁ ୨୦୧୮ ମଧ୍ୟରେ ବନ୍ଦ ହୋଇଯିବା କାରଣରୁ ୯,୩୯୦ ଲୋକ ଚାକିରି ହରାଇଛନ୍ତି। ରାଜ୍ୟ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହା ଦର୍ଶାଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଲାଞ୍ଜିଗଡ଼ ଅଞ୍ଚଳରେ ଥିବା ବେଦାନ୍ତ ୟୁନିଟ୍‌ ବନ୍ଦହେବାରୁ ସବୁଠାରୁ ଅଧିକ ୩,୩୫୦ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଏହି ୟୁନିଟ୍‌ ୨୦୧୩ ଜୁନ୍‌ରେ ବନ୍ଦ ହୋଇଥିଲା। ସେହିପରି ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡ୍‌ ୨୦୧୨ରେ କଞ୍ଚାମାଲ ଅଭାବ ଏବଂ ସର୍ବନିମ୍ନ ବଜାର ଦର କାରଣରୁ ବନ୍ଦ ହୋଇଥିଲା। ଫଳରେ ୯୬୪ ଜଣ ଚାକିରି ହରାଇଥିଲେ। ରଘୁନାଥ ପେପର ମିଲ୍‌ ବନ୍ଦ ହେବାପରେ ୯୬୪ ଜଣ, ମାହେଶ୍ୱରୀ ଇସ୍ପାତ ଲିମିଟେଡ୍‌ ବନ୍ଦ ହେବାରୁ ୮୦୦ ଏବଂ ଜର୍ଜ ଡିଷ୍ଟ୍ରିବ୍ୟୁଟର ବନ୍ଦ ହେବା ଫଳରେ ୫୦୦ କର୍ମଚାରୀ ଚାକିରି ହରାଇଛନ୍ତି। ଅନୁରୂପଭାବେ ଆଉ କେତୋଟି ବଡ଼ ଶିଳ୍ପ ଗତ ୧୮ ବର୍ଷ ମଧ୍ୟରେ ବନ୍ଦ ହୋଇଯାଇଛିି। ଆଇଆରସି ଟ୍ୟୁବ୍ସ ବନ୍ଦ ହେବାରୁ ୪୨୭ କର୍ମଚାରୀ, ଜେନ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ବନ୍ଦ ଯୋଗୁ ୨୮୬, ଡୀପକ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ବନ୍ଦ ହେବାରୁ ୪୬୯, ଶିବଶକ୍ତି ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ପରେ ୧୧୦, ପଓ୍ବନଜୟ ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ଫଳରେ ୧୧୯ ଏବଂ ଗଣେଶ ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ହେବାପରେ ୧୧୦ କର୍ମଚାରୀ ଚାକିରି ହରାଇଥିବା ମନ୍ତ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୦ରୁ ୨୦୧୮ ମଧ୍ୟରେ ୯୫ଟି ଶିଳ୍ପ କାର୍ଯ୍ୟ ଆରମ୍ଭ କରିଛି। ଏହି ଶିଳ୍ପଗୁଡିକ ୧,୬୬,୬୧୩ ଲୋକଙ୍କୁ ନିଯୁକ୍ତି ଦେବାସହ ସେମାନେ ୨.୯୧ ଲକ୍ଷ କୋଟି ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

Share