ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି ଆଉ ଏକ ପଦକ୍ଷେପ: ଏଣିକି ରୋଗୀଙ୍କଠାରୁ ଫୋନ୍‌ ଯୋଗେ ମତାମତ ନେବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବିଗତ ଦିନରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ପୁଣି ଏଭଳି ଏକ ପଦକ୍ଷେପ ନେଇଛନ୍ତି। ଏଣିକି ସ୍ବାସ୍ଥ୍ୟସେବା ସମ୍ପର୍କରେ ଜାଣିବା ଲାଗି ରୋଗୀଙ୍କ ପାଖକୁ ସିଧାସଳଖ ଫୋନ ଯିବ। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କଠାରୁ ସ୍ବାସ୍ଥ୍ୟ ବିଭାଗ ମତାମତ ନେବ। ରୋଗୀଙ୍କ ମତ ପାଇଁ ମନ୍ତ୍ରୀ ଓ ସଚିବଙ୍କ ତତ୍ତ୍ୱାବଧାନରେ ଟିମ୍‌ ଗଠନ କରାଯିବ। ଉକ୍ତ ଟିମ୍‌ ପକ୍ଷରୁ ରୋଗୀଙ୍କୁ ସିଧାସଳଖ ଫୋନ କରି ମତାମତ ନିଆଯିବ। ଡାକ୍ତରଖାନାରେ କିଭଳି ସେବା ଦିଆଗଲା, ଏଥିରେ ସେମାନେ ସନ୍ତୁଷ୍ଟ କି ଅସନ୍ତୁଷ୍ଟ, ସେ ସମ୍ପର୍କରେ ସୂଚନା ସଂଗ୍ରହ କରାଯିବ। ମୋଟ ଉପରେ ଡାକ୍ତରୀ ସେବାର ସୁବିଧା ଓ ଅସୁବିଧା ରୋଗୀଙ୍କଠାରୁ ବୁଝାଯିବ। ଗୁରୁବାର ସିଡିଏମ୍‌ଓଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଯୋଗେ କଥା ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି।