ରାଜ୍ୟରେ ହେବ ଗଞ୍ଜେଇ ଚାଷ: ଆଜି ଉଚ୍ଚସ୍ତରୀୟ ବୈଠକ

କଟକ ଅଫିସ/ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରାଯିବ। ଅବକାରୀ ବିଭାଗ ଏ ନେଇ ତତ୍ପର ହୋଇଉଠିଛି। ଔଷଧୀୟ ବ୍ୟବହାର ପାଇଁ ଏହି ଚାଷ କରିବାକୁ ସରକାର ସ୍ଥିର କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଏସ୍‌.ବି.କେ. ପ୍ରଧାନ ଗତ ୮ ତାରିଖରେ ଅବକାରୀ କମିଶନରଙ୍କୁ ଏକ ଚିଠି (ନଂ. ୫୭୮୬) ଲେଖିଛନ୍ତି। ଉକ୍ତ ଚିଠିରେ ଦର୍ଶାଯାଇଛି, ଅବକାରୀ ସଚିବ ନଭେମ୍ବର ୧୯ ତାରିଖରେ ଏକ ବୈଠକ ଡକାଇଛନ୍ତି। ଅବକାରୀ ସଚିବଙ୍କ ଚାମ୍ବରରେ ହେବାକୁ ଥିବା ଉକ୍ତ ବୈଠକରେ ଗଞ୍ଜେଇର ଔଷଧୀୟ ବ୍ୟବହାର ପାଇଁ ଚାଷ କରିବା ନିମନ୍ତେ ଆବଶ୍ୟକ ଆଲୋଚନା କରାଯିବ। ଆବଶ୍ୟକ କାଗଜପତ୍ର ଏବଂ ସୂଚନା ସହିତ ବୈଠକରେ ଅବକାରୀ କମିଶନର ଉପସ୍ଥିତ ହେବା ପାଇଁ ଯୁଗ୍ମ ସଚିବଙ୍କ ପକ୍ଷରୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି। ଅର୍ଥାତ ଗଞ୍ଜେଇ ଚାଷ ପାଇଁ ସରକାର ଏବେ ଅନୁମତି ଦେବା ଏକପ୍ରକାର ସ୍ଥିର ହୋଇଯାଇଛି। ରାଜ୍ୟରେ ମଦକୁ ନେଇ ସରକାର ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଥିବାବେଳେ ଏବେ ଗଞ୍ଜେଇ ଚାଷକୁ ଆଇନସମ୍ମତ କରିବା ପାଇଁ ସରକାରଙ୍କ ଉଦ୍ୟମ କେତେଦୂର ସଫଳ ହେଉଛି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ କେନ୍ଦ୍ରାଞ୍ଚଳ ଅବକାରୀ ଉପଆୟୁକ୍ତ ରାମଚନ୍ଦ୍ର ପାଲଟା କୁହନ୍ତି, ମଙ୍ଗଳବାର ବୈଠକ ପରେ ସବୁ କିଛି ସ୍ପଷ୍ଟ ହେବ। ମାତ୍ର ଜଣେ ଅବସରପ୍ରାପ୍ତ ଅବକାରୀ କମିଶନରଙ୍କ କହିବା ଅନୁଯାୟୀ, ବାହାର ଦେଶରେ ଏହି ଚାଷ ଔଷଧୀୟ ବ୍ୟବହାର ପାଇଁ କରାଯାଉଛି। ବିଶେଷକରି କର୍କଟ ରୋଗୀଙ୍କ ଯନ୍ତ୍ରଣା ଉପଶମ ପାଇଁ ଗଞ୍ଜେଇକୁ ବ୍ୟବହାର କରାଯାଉଥିବା ନେଇ ଯୁକ୍ତି ଉଠୁଛି। ତାଙ୍କ ସମୟରେ ଏହି ପ୍ରସ୍ତାବ ଆସିଥିଲା। ମାତ୍ର ଅବକାରୀ ଆଇନରେ ସଂଶୋଧନ ନ ଆଣି ଏହି ଚାଷକୁ ଅନୁମତି ଦେବା ସମ୍ଭବ ହୋଇ ନ ଥିଲା। ତେଣୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ବୋଲି କହିଛନ୍ତି।

Share