ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ

କଟକ ଅଫିସ,୯।୬: ପଶ୍ଚିମବଙ୍ଗରେ ବାତ୍ୟା ‘ଅମ୍ଫାନ’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସୋମବାର ଏନ୍‌ଡିଆର୍‌ଏଫ୍‌ର ୪୯ ଜଣ ଯବାନଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା। ଫଳରେ ପଶ୍ଚିମବଙ୍ଗରୁ ଫେରିଥିବା ଉଭୟ ବିଭାଗର ମୋଟ ୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କିମ୍‌ସ ଏବଂ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗକୁ ଏନ୍‌ଡିଆର୍‌ଏଫ୍‌ର ୧୬୭ଜଣ ଯବାନ ଏବଂ ଅଗ୍ନିଶମର ୩୭୨ ଜଣ କର୍ମଚାରୀ ଯାଇଥିଲେ। ସେମାନେ ଫେରିବା ପରେ ସଙ୍ଗରୋଧରେ ରହିଥିଲେ।

Share