ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର, ୨।୭(ବ୍ୟୁରୋ)- ରାଜ୍ୟରେ ବର୍ତ୍ତମାନ ୨୮୫୧ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଥିମଧ୍ୟରୁ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୯୯ଟି ପଦବୀ ରହିଛି। ସେହିଭଳି ଗଞ୍ଜାମରେ ୧୮୯ ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ସୁନ୍ଦରଗଡରେ ୧୫୭, କଳାହାଣ୍ଡି ଓ ବାଲେଶ୍ୱରେ ୧୩୨, କୋରାପୁଟରେ ୧୧୨, କେନ୍ଦୁଝରରେ ୧୧୦, ବରଗଡ଼ର ୧୦୫, ଢେଙ୍କାନାଳରେ ୧୦୩, ବଲାଙ୍ଗୀରରେ ୧୦୨, ନବରଙ୍ଗପୁରରେ ୯୯, ପୁରୀ ଓ ଭଦ୍ରକରେ ୯୮, ଅନୁଗୋଳରେ ୯୭ଟି ଡାକ୍ତର ପଦବୀ ଖାଲି ରହିଛି। ତେବେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ସବୁଠାରୁ କମ୍‌ ୨୧ଟି ଡାକ୍ତର ପଦବୀ ଖାଲି ଥିବାବେଳେ ରାଉରକେଲା ଆରଜିଏଚ୍‌ରେ ୩୮ଟି ପଦବୀ ଖାଲି ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ବିଧାନସଭାରେ ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ଯେ, ଖାଲି ଥିବା ପଦବୀଗୁଡ଼ିକୁ ଲୋକ ସେବା ଆୟୋଗ ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି, ଆଡହକ ନିଯୁକ୍ତି ତଥା ଚୁକ୍ତି ଭିତ୍ତିକ ନିଯୁକ୍ତି ଦ୍ୱାରା ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

Share