ରାଜ୍ୟରେ ୬ ବୃହତ୍‌, ୨୦ ମଧ୍ୟମ ଜଳଭଣ୍ଡାର ନିର୍ମାଣ ହେବ

ଭୁବନେଶ୍ୱର,୪ା୧୨ (ବ୍ୟୁରୋ):ରାଜ୍ୟରେ ଜଳସେଚନ ପାଇଁ ଆଉ ୬ଟି ବୃହତ୍‌ ଜଳଭଣ୍ଡାର ଓ ୨୦ଟି ମଧ୍ୟମ ଜଳଭଣ୍ଡାର ନିର୍ମାଣ ହେବ। ଏ ନେଇ ସର୍ବେକ୍ଷଣ ଓ ଅନୁସନ୍ଧାନ ଚାଲିଛି। ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ମନ୍ତ୍ରୀ କହିଛନ୍ତି ଯେ କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଖତିଗୁଡା ଗ୍ରାମର ମିଡିଲ୍‌ କୋଲାବ, ନୟାଗଡ ଜିଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଞ୍ଜରୀ ଗ୍ରାମ ନିକଟସ୍ଥ ବୃତ୍ତଙ୍ଗ, ମାଲକାନଗିରି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲି ଗ୍ରାମ ନିକଟସ୍ଥ ଗୋବିନ୍ଦପାଲି , ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତେଲିଜୋର, ରାୟଗଡା ଜିଲା ଗୁଡାଣି ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମ ନିକଟରେ ଲୋୟର ବଂଶଧାରା, କଳାହାଣ୍ଡି ଜିଲାର ମ. ରାମପୁର ବ୍ଲକର ଝୁରାଖମନ ଗ୍ରାମ ଅନ୍ତର୍ଗତ ଉତ୍ତେଇ-ରାଉଳ ଇଣ୍ଟିଗ୍ରେଟେଡ ବୃହତ୍‌ ଜଳଭଣ୍ଡାର ନିର୍ମାଣ ହେବ। ସେହିପରି ଅନୁଗୋଳ ଜିଲାର କରଡସିଂଘା, ରାୟଗଡା ଜିଲାର ଭେଯା ଓ ତୋଭାପଦର, ଅନୁଗୋଳ ଜିଲାର କଟୁଳିଶିଙ୍ଗା ଓ କୋଳିପାଲ, ସମ୍ବଲପୁର ଜିଲାର ପେଣ୍ଠବାହାଲ, ଦେବଗଡ ଜିଲାର କାଉସିପାଲ, କେନ୍ଦୁଝର ଜିଲାର ଏସ.ଏନ.ପୁର ଗଡ଼, ବୌଦ୍ଧ ଜିଲାର କୀର୍ତ୍ତଙ୍ଗପଡା, କନ୍ଧମାଳର ବନ୍ଧଖମନ, ନବରଙ୍ଗପୁର ଜିଲାର କର୍ଲାପୁର, ବରଗଡ ଜିଲାର ସରଣ୍ଡାପାଲି ଓ ଦୁଆନପାଲି, ବଲାଙ୍ଗୀର ଜିଲାର ଚିକିଲି ଓ ବାଞ୍ଚିପାଲି, ସୁନ୍ଦରଗଡ ଜିଲାର ବରଘାଟ, ସମ୍ବଲପୁର ଜିଲାର କାଦୋଗଡ, ସୁନ୍ଦରଗଡ ଜିଲାର ଯାମହିଡୀ, ଡାଳକୁଡାର ଏବଂ ଗାଇଲୋଠାରେ ମଧ୍ୟମ ଜଳଭଣ୍ଡାର ନିର୍ମାଣ ହେବ।

Share