ରାଜ୍ୟର ଅଧା ଜିଲା ମାଓବାଦୀ ପ୍ରଭାବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ଅଧା ଜିଲା ମାଓବାଦୀ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଶ୍ରେଣୀ ବିଭାଗ ଅନୁଯାୟୀ କୋରାପୁଟ ଏବଂ ମାଲକାନଗିରି ଅତ୍ୟନ୍ତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲା। ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ବିଧାନସଭାରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନ ନଂ-୨୫୫ର ଉତ୍ତର ଦେଇ ସୋମବାର ରାଷ୍ଟ୍ରମନ୍ତ୍ରୀ ମିଶ୍ର ଏହି କଥା କହିଛନ୍ତି। ଗତ ୬ ବର୍ଷ ଅର୍ଥାତ ୨୦୧୪ରୁ ୨୦୧୯ ମଧ୍ୟରେ ମାଓବାଦୀମାନେ ମୋଟ ୧୦୫ ସାଧାରଣ ବ୍ୟକ୍ତିକୁ ହତ୍ୟା କରିଛନ୍ତି। ଅନ୍ୟପକ୍ଷେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟ ଏବଂ ଅନ୍ୟାନ୍ୟ ଘଟଣାରେ ୮୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି।
ରାଜ୍ୟରେ ଡକାୟତି, ଲୁଣ୍ଠନ ଏବଂ ବଳାତ୍କାର ପରି ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି। ରାଜ୍ୟ ସରକାର ବିଧାନସଭାରେ ରଖିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ୨୦୧୮ରେ ୫୫୮ଟି ଡକାୟତି ମାମଲା ହୋଇଛି। ଏହା ପୂର୍ବ ବର୍ଷ ଅର୍ଥାତ ୨୦୧୭ରେ ଡକାୟତି ସଂଖ୍ୟା ୫୩୪ ରହିଥିଲା। ସେହିପରି ଗତବର୍ଷ ୨୧୨୫ଟି ଲୁଣ୍ଠନ ମାମଲା ହୋଇଥିବା ଜଣାପଡିଛି। ୨୦୧୭ରେ ୨୦୪୮ଟି ଲୁଣ୍ଠନ ମାମଲା ସଙ୍ଗଠିତ ହୋଇଥିଲା। ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ମଧ୍ୟ ବୃଦ୍ଧି ପାଇଛି। ୨୦୧୮ରେ ରାଜ୍ୟରେ ୨୫୦୨ ବଳାତ୍କାର ମାମଲା ହୋଇଥିବା ସ୍ବରାଷ୍ଟ୍ର ବିଭାଗ ସ୍ବୀକାର କରିଛି। ଏହା ପୂର୍ବ ବର୍ଷ ରାଜ୍ୟରେ ୨୨୨୧ଟି ବଳାତ୍କାର ମାମଲା ହୋଇଥିବା ଗୃହରେ ତଥ୍ୟ ରଖାଯାଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା-୨୫୯ର ଉତ୍ତର ଦେଇ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ଏହା କହିଛନ୍ତି।

Share