ରାଜ୍ୟର ଅଭିବୃଦ୍ଧି ଖସିଲା: କୃଷି ଉତ୍ପାଦନ ହ୍ରାସ, ବାତ୍ୟାକୁ ଦାୟୀ କଲେ ସରକାର

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଳକୁ ଖସିଛି। ୨୦୧୮-୧୯ରେ ଏହି ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୬.୧୬ ପ୍ରତିଶତକୁ ଖସିଯାଇଛି। ସୋମବାର ବିଧାନସଭାରେ ଉପସ୍ଥାପନ ହୋଇଥିବା ୨୦୧୯-୨୦ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଏହି କଥା ଦର୍ଶାଇଛନ୍ତି। କୃଷି ଉତ୍ପାଦ କମିବା ସାଙ୍ଗକୁ ବାତ୍ୟା ଏବଂ ଖଣି କାର୍ଯ୍ୟ ବନ୍ଦ ରହିବା ଯୋଗୁ ଅଭିବୃଦ୍ଧି ହାର ଖସିଥିବା ରିପୋର୍ଟରେ କୁହାଯାଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଭିଏସ୍‌ଡିପି) କମିଥିଲେ ମଧ୍ୟ ଜାତୀୟ ଅଭିବୃଦ୍ଧିଠାରୁ ଅଧିକ ରହିଛି। ରାଜ୍ୟର ମୁଣ୍ଡ ପିଛା ଆୟ ଏକ ଲକ୍ଷ ଏକ ହଜାର ୫ ଶହ ୮୭ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୧୮-୧୯ରେ ମୁଣ୍ଡ ପିଛା ଆୟ ୯୫ ହଜାର ୧୬୪ ଥିଲା। ଶିଳ୍ପକ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହୋଇଛି। ପନିପରିବା, ଫଳମୂଳ, ତୈଳବୀଜ ଏବଂ ଡାଲିଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଧୀରେ ଧୀରେ ଆଗକୁ ବଢୁଛି। ୨୦୧୪-୧୫ରେ ଏହିସବୁ ଶସ୍ୟ ଉତ୍ପାଦନ ୪୨.୩୭% ଥିବାବେଳେ ୨୦୧୮-୧୯ରେ ୪୩.୭୯ ପ୍ରତିଶତକୁ ବୃଦ୍ଧି ପାଇଛି। ମାତ୍ର ଗୋପାଳନ, କୁକୁଡା ଚାଷ କ୍ଷେତ୍ରରେ ରାଜ୍ୟ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। କ୍ଷୀର, ଅଣ୍ଡା, ମାଂସ ଉତ୍ପାଦନ ବଢିଛି। ମାଛ ଉତ୍ପାଦନ ୨୦୧୭-୧୮ରେ ୬.୮୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିବାବେଳେ ୨୦୧୮-୧୯ରେ ୭.୫୯ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ଖଣି ଅଞ୍ଚଳ ପକ୍କାଘର ଯୋଜନା ଏବଂ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ରାଜ୍ୟରେ ୨୧.୭୬ ଲକ୍ଷ ପକ୍କାଘର ତିଆରି ହୋଇଛି। ସମସ୍ତଙ୍କୁ ବିଜୁଳି ସ୍କିମ୍‌ରେ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି। ୯୯.୬୪ ପ୍ରତିଶତ ରାଜସ୍ବ ଗ୍ରାମକୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିଦ୍ୟୁତ୍‌କରଣ କରାଯାଇଛି।

Share