ରାଜ୍ୟର ସମସ୍ତ ଜେଲ୍‌କୁ ଆଡଭାଇଜରି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଜେଲ୍‌କୁ କରୋନା ଭୁତାଣୁ ସଂକ୍ରମଣରୁ ରୋକିବା ପାଇଁ କାରାଗାର ମହାନିର୍ଦ୍ଦେଶକ ବୁଧବାର ସ୍ବତନ୍ତ୍ର ଆଡଭାଇଜାରି ଜାରି କରିଛନ୍ତି। କାରାଗାରରେ ରହୁଥିବା ବନ୍ଦୀ ଏବଂ ବିଚାରାଧୀନ ଅଭିଯୁକ୍ତଙ୍କୁ କିପରି ଏହି ସଂକ୍ରମଣରୁ ଦୂରେଇ ରଖାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷକରି ବିଚାର ବିଭାଗୀୟ ହାଜତକୁ ପ୍ରଥମ କରି ଆସୁଥିବା ଅଭିଯୁକ୍ତଙ୍କୁ ଅନ୍ତତଃ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କୁ ସମ୍ପର୍କୀୟ କିମ୍ବା ଓକିଲମାନେ ଭେଟି ପାରିବେ ନାହିଁ। ଏନ୍‌ଜିଓ କିମ୍ବା ଅନ୍ୟ କୌଣସି ସଂସ୍ଥା ସାମାଜିକ ସଂସ୍ଥା ଜେଲ୍‌ ଭିତରେ କେଣସି ପ୍ରକାରର କାର୍ଯ୍ୟକ୍ରମ କରିପାରିବେ ନାହିଁ। ଗୋଟିଏ ମାସ ପର୍ଯ୍ୟନ୍ତ ଏହିସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ମୁଖ୍ୟ ଫାଟକରେ ସାନିଟାଇଜର ରହିବା ସହ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନା କରାଯିବାକୁ ସ୍ଥିର ହୋଇଛି। ବନ୍ଦୀଙ୍କ ସମ୍ପର୍କୀୟମାନେ ଜେଲ୍‌ ନ ଆସି ଘରେ ଥାଇ ଇ-ମୁଲାକାତ ବ୍ୟବସ୍ଥାରେ ଭେଟି ପାରିବେ। ଅତ୍ୟାବଶ୍ୟକସ୍ଥଳେ ଭେଟିବାକୁ ଆସିଲେ ଉପଯୁକ୍ତ ଦୂରତା ରକ୍ଷା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ବନ୍ଦୀଙ୍କୁ ହାଜର କରାଯିବା ସହ ଥଣ୍ଡା, ଗଳାରେ ଯନ୍ତ୍ରଣା, ନିଶ୍ବାସ ନେବାରେ କଷ୍ଟ ହେଲେ ସେମାନଙ୍କ ତୁରନ୍ତ ଚିକିତ୍ସା କରାଯିବ। ଜେଲ୍‌ ମେଡିକାଲରେ ଆଇସୋଲେଶନ ୱାର୍ଡ ବ୍ୟବସ୍ଥା କରାଯିବ। ଏଥିସହ ଜେଲ୍‌ରେ ଥିବା ରୋଷେୟାଙ୍କୁ କର୍ତ୍ତୃପକ୍ଷ ମାସ୍କ ଯୋଗାଇ ଦେବେ। ବିନା ମାସ୍କରେ ରୋଷେଇ ହେବ ନାହିଁ ବୋଲି ଜେଲର ନିଶ୍ଚିତ କରିବେ। ଡ୍ୟୁଟି କରୁଥିବା କର୍ମଚାରୀ ମଧ୍ୟ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ। ଯେଉଁ ବନ୍ଦୀମାନେ ଛୁଟିରୁ ଫେରିବେ ସେମାନଙ୍କ ଉପଯୁକ୍ତ ସ୍କ୍ରିନିଂ କରାଯିବାପରେ ଜେଲ୍‌ରେ ପ୍ରବେଶ ଅନୁମତି ଦିଆଯିବ। ଅନ୍ୟ ରାଜ୍ୟରେ ଥିବା କୋର୍ଟରେ ହାଜର ହୋଇ ଫେରୁଥିବା ବନ୍ଦୀଙ୍କ କ୍ଷେତ୍ରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସର୍ବୋପରି ଜେଲ୍‌ ପରିସର ଓ ହସ୍ପିଟାଲକୁ ପରିସ୍କାର ରଖିବାକୁ କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।

Share