ରାଜ୍ୟର ୩୪୩୯୪ ସ୍କୁଲରେ ନାହିଁ ଶୌଚାଳୟ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ରାଜ୍ୟରେ ଶିକ୍ଷାର ଉନ୍ନତି ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରରେ ତାହା ପ୍ରତିଫଳିତ ହେଉନାହିଁ। ବୁଧବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରଦତ୍ତ ଏକ ତଥ୍ୟରୁ ଏହା ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ୫୧୪୩୪ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ଥିବାବେଳେ ୩୪୩୯୪ ସ୍କୁଲରେ ପାଣି ସହିତ ଶୌଚାଳୟ ବ୍ୟବସ୍ଥା ନାହିଁ। ସେହିଭଳି ୩୫୬୭୯ ସ୍କୁଲରେ ବିଜୁଳିର ବ୍ୟବସ୍ଥା ନ ଥିବାବେଳେ ୩୭୬୪୫ ସ୍କୁଲରେ ଖେଳପଡ଼ିଆ ଏବଂ ୨୪୫୧ ସ୍କୁଲରେ ପାଠାଗାର ନାହିଁ। ସବୁଠୁ ବଡ଼ କଥା ହେଉଛି, ୯୦ ସ୍କୁଲରେ କଳାପଟା ନାହିଁ। ଏହାସହ ୧୬୩୬୮ ସ୍କୁଲରେ ପାଚେରି ନାହିଁ ବୋଲି ମନ୍ତ୍ରୀ ଦାଶ ତଥ୍ୟ ପ୍ରଦାନ କରିଛନ୍ତି। ରାଜ୍ୟରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି କିଭଳି ରହିଛି, କେତେ ସଂଖ୍ୟକ ଛାତ୍ରୀଛାତ୍ର ସରକାରୀ ସ୍କୁଲ ଛାଡ଼ି ଘରୋଇ ବିଦ୍ୟାଳୟ ଯାଇଛନ୍ତି, ସେ ବାବଦରେ ବିଜେପି ବିଧାୟକ ମୋହନ ଚରଣ ମାଝୀ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ଏହାଛଡ଼ା ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଡ୍ରପ୍‌ଆଉଟ୍‌ ପରିମାଣ ହେଉଛି ୫.୪୨%। ରାୟଗଡ଼ା ଜିଲା ପ୍ରାଥମିକ ବିଦ୍ୟାଳୟରେ ସର୍ବାଧିକ ୧୧.୬୭% ପିଲା ଅଧାରୁ ପାଠ ଛାଡ଼ିଥିବାବେଳେ କେନ୍ଦ୍ରାପଡ଼ାରେ ୮.୯୩% ଏବଂ କଳାହାଣ୍ଡିରେ ୮.୪୬% ପିଲା ପାଠ ଛାଡ଼ିଛନ୍ତି। ସେହିପରି ଉଚ୍ଚପ୍ରାଥମିକ ସ୍ତରରେ ମଧ୍ୟ ରାୟଗଡ଼ା ଜିଲାରେ ଡ୍ରପ୍‌ଆଉଟ୍‌ ହାର ସର୍ବାଧିକ। ରାୟଗଡ଼ାରେ ୧୭.୧୦% ପିଲା ଅଧାରୁ ସ୍କୁଲ ଛାଡ଼ିଥିବାବେଳେ ମାଲକାନଗିରିରେ ୧୩.୭୮% ଓ ଯାଜପୁରରେ ୧୨.୬୩% ପିଲା ପଢ଼ା ଛାଡ଼ିଛନ୍ତି। ସେହିପରି ମାଧ୍ୟମିକ ସ୍ତରରେ ପୁରୀରେ ସର୍ବାଧିକ ୧୦.୫%, ବାଲେଶ୍ୱରରେ ୮.୭୩% ଓ ସମ୍ବଲପୁରରେ ୮.୧୬% ପିଲା ଡ୍ରପ୍‌ଆଉଟ୍‌ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Share