Categories: ମେଟ୍ରୋ

ରାଜ୍ୟର ୬ ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ

ଭୁବନେଶ୍ୱର,୨।୮(ବ୍ୟୁରୋ) : ରାଜ୍ୟର ୬ଟି ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ। ଏହି ବ୍ଲକଗୁଡିକ ହେଉଛି- ଭଦ୍ରକର ଚାନ୍ଦବାଲି, ଜଗତ୍‌ସିଂହପୁରର ଏରସମା, କେପଡ଼ାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଏବଂ ରାଜକନିକା। ୫ଟି ବ୍ଲକ ସେମିକ୍ରିଟିକାଲ(ଏକ୍ସଟ୍ରାସନ ୭୦%ରୁ ୯୦%) । ସେହିପରି ୪୪ଟି ଆପ୍ରୋଚିଙ୍ଗ୍‌ ସେମିକ୍ରିଟିକାଲ ବ୍ଲକ(୬୦ରୁ ୭୦%) ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବୁଧବାର ଗୃହରେ ଉତ୍ତର ରଖିଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଅଣତାରକା ପ୍ରଶ୍ନ ନଂ-୨୭୭୮ର ଉତ୍ତର ରଖି ମନ୍ତ୍ରୀ ରଘୁନନ୍ଦନ ଏହି ତଥ୍ୟ ଦେଇଛନ୍ତି। ଉପରୋକ୍ତ ୫୫ ବ୍ଲକର ସମ୍ପୂର୍ଣ୍ଣ ତାଲିକା ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ଏଗୁଡ଼ିକ ମଧ୍ୟରେ ବାଲେଶ୍ୱରର ବାଲିଆପାଳ, ବାହାନଗା, ରେମୁଣା, ନୀଳଗିରି, ଭୋଗରାଇ, ଜଳେଶ୍ୱର ଏବଂ ସୋର, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମହାକାଳପଡ଼ା ଏବଂ ଆଳି , ଖୋର୍ଦ୍ଧା ଜିଲାର ବାଲିପାଟଣା, ବୋଲଗଡ଼ ଓ ଭୁବନେଶ୍ୱର, ଅନୁଗୋଳର ତାଳଚେର ଓ କଣିହାଁ, ବଲାଙ୍ଗୀରର ଲୋଇସିଂହା, ବରଗଡ଼ର ଭଟଲି ଓ ଝରାବନ୍ଧ, ଭଦ୍ରକର ଭଦ୍ରକ, ଭଣ୍ଡାରିପୋଖରୀ ଓ ଧାମନଗର, ବୌଦ୍ଧର କଣ୍ଟାମାଳ ବ୍ଲକ ରହିଛି। ଏତଦ୍‌ ବ୍ୟତୀତ କଟକ ଜିଲାର କଟକ ସଦର, ତିଗିରିଆ, ଢେଙ୍କାନାଳର ଓଡ଼ାପଡ଼ା ଓ ଢେଙ୍କାନାଳ, ଗଞ୍ଜାମର ହିଞ୍ଜିଳିକାଟୁ, ଆସ୍କା ଓ ଗଞ୍ଜାମ, ଜଗତ୍‌ସିଂହପୁର ନୂଆଗାଁ, କୁଜଙ୍ଗ ଏବଂ ଜଗତ୍‌ସିଂହପୁର, ଯାଜପୁର ଜିଲାର ରସୁଲପୁର, ବିଞ୍ଝାରପୁର, ଯାଜପୁର ଏବଂ ଦଶରଥପୁର, ମୟୂରଭଞ୍ଜର ରାସଗୋବିନ୍ଦପୁର, ବଡ଼ସାହି ଓ ବେତନଟୀ। ସେହିଭଳି ନୟାଗଡ଼ ଜିଲାର ନୟାଗଡ଼, ପୁରୀ ଜିଲାର କାକଟପୁର, ସୁବର୍ଣ୍ଣପୁରର ସୋନପୁର ଏବଂ ତରଭା, ସୁନ୍ଦରଗଡ଼ର ବିର୍ସା ପ୍ରମୁଖ।
ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଏହିସବୁ ବ୍ଲକରେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପ୍ରତି ବ୍ଲକରେ ୧୦୦ଟି ବେସରକାରୀ ଏବଂ ୫ଟି ସରକାରୀ ଗୃହରେ ବର୍ଷାଜଳ ଅମଳ ଏବଂ ଭୂତଳ ଜଳ ପୁନଃଭରଣ ଯୋଜନା କରାଯାଇଛି। ପ୍ରତି ବ୍ଲକରେ ୨୦ଟି ରିଚାର୍ଜ ସାଫ୍ଟ ଜରିଆରେ ଭୂତଳ ଜଳ ପୁନଃଭରଣ ଯୋଜନା କରାଯାଇଛି। ସେହିପରି ଖନନ ପରେ ବ୍ୟବହାର ଅନୁପଯୋଗୀ ୬୦୦ ନଳକୂପ ଚିହ୍ନଟ କରି ତାହାକୁ ଭୂତଳ ଜଳ ପୁନଃଭରଣ କାର୍ଯ୍ୟରେ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି।

Share